ମା’ ଦକ୍ଷିଣକାଳୀଙ୍କ ଆଖିରୁ ଝରୁଛି ଲୁହ : ଚିନ୍ତରେ ମନ୍ଦିର କମିଟି

ରାୟଗଡା: କଙ୍କ ମା’ ଦକ୍ଷିଣକାଳୀଙ୍କ ଆଖିରୁ ଝରୁଛି ଲୁହ। ଗତ ଦିନେ କି ଦୁଇଦିନ ନୁହଁ ଗତ ସଂକ୍ରାନ୍ତି ଠାରୁ ଅନବରତ ଭାବେ ବୋହି ଚାଲିଛି ଲୁହ । ଓଦା ହୋଇଯାଉଛି ମା’ଙ୍କ ପିନ୍ଧା ବସ୍ତ୍ର । ଫଳରେ ଚିନ୍ତାରେ ପଡିଯାଇଛନ୍ତି ମନ୍ଦିର ପୂଜକଙ୍କ ସମେତ ଗ୍ରାମବାସୀ ଏବଂ ପରିଚାଳନା କମିଟି । ଏପରିକି ଦେବୀଙ୍କୁ ଶାନ୍ତ କରିବାପାଇଁ ପୂଜକଙ୍କ ସମସ୍ତ ପୂଜା ପାଠ ଓ ନୀତିକାନ୍ତି ପରେ ମଧ୍ୟ ଆଖିରୁ ଲୁହ ଝରିବା ବନ୍ଦ ହେଉନି। ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ପୁରାଣ ପ୍ରିସିଦ୍ଧ ପାଇକପଡ଼ାସ୍ଥିତ ଶକ୍ତି ପୀଠ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ । ଗତ ଶୁକ୍ରବାର (ସଂକ୍ରାନ୍ତି) ଦିନ ମନ୍ଦିରର ପୂଜକ ଭୋର ମନ୍ଦିର ଖୋଲିବା ପରେ ପ୍ରଥମେ ପାତାଳେଶ୍ୱର (ଶିବ) ଙ୍କ ପୂଜାର୍ଚ୍ଚନା କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ଶେଷ ହେବାପରେ ପୂଜକ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ଖୋଲି ପୂଜା କରିଥିଲେ। ସକାଳ ସାଢ଼େ ୭ଟାରେ ପୂଜା ସହ ଧୂପ ଆଳତୀ ଶେଷ ହେବାପରେ ପୂଜକ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ଦର୍ଶନ ପାଇଁ ମା’ଙ୍କ ମନ୍ଦିରରେ ଭିଡ଼ ଜମିବା ପରେ ସାଢ଼େ ୮ଟାରେ ପୂଜକ ମନ୍ଦିରକୁ ଫେରିଥିଲେ। ଗର୍ଭ ଗୃହକୁ ପୂଜା ପାଇଁ ଯିବାପରେ ମା’ଙ୍କ ପିନ୍ଧା ବସ୍ତ୍ର ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଥିବା ପୂଜକ ଦେଖିଥିଲେ। କିଛି ସମୟ ନୀରିକ୍ଷଣ କରିବା ପରେ ମା’ଙ୍କ ଦୁଇ ଆଖିରୁ ପାଣି ଝରୁଥିବା ପୂଜକ ଅନୁମାନ କରିଥିଲେ। ନଏ ସମ୍ପର୍କରେ କିଛି ଭକ୍ତ ମଧ୍ୟ ଅନୁମାନ କରିବା ପରେ ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟିକୁ ପୂଜକ ଖବର ଦେଇଥିଲେ। କମିଟି କର୍ତ୍ତୃପକ୍ଷ ମନ୍ଦିରରେ ପହଞ୍ଚି ଏକ ଘଣ୍ଟା ଧରି ମା’ଙ୍କ ମୁହଁ ଓ ଆଖିକୁ ଚାହିଁ ରହିଥିଲେ। ଘଣ୍ଟାକ ମଧ୍ୟରେ ମା’ଙ୍କ ଦୁଇ ଆଖିରୁ ୩୦ରୁ ୩୫ ଥର ଲୁହ ବୋହି ଆସୁଥିବା କମିଟି କର୍ତ୍ତୃପକ୍ଷ ଦେଖିଥିଲେ। ୧୯୮୨ ମସିହାରେ ସାଧକ ସ୍ୱର୍ଗତ ଦେବଦୁର୍ଲ୍ଲଭ ରାୟଗୁରୁ ମହାପୂଜା କରିବା ସମୟରେ ମା’ଙ୍କ ଆଖିରୁ ଏପରି ଅଶ୍ରୁ ଝରିଥିଲା। ଏହା ପରଠୁ ଆଉ କେବେ ଏହି ଅଲୌକିକ ଘଟଣା ଦେଖିବାକୁ ମିଳିନଥିଲା। ପ୍ରାୟ ୪୦ ବର୍ଷ ପରେ ପୁଣି ଏପରି ଘଟଣା ଦେଖିବାକୁ ମିଳିଥିବାରୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର କମିଟି କର୍ତ୍ତୃପକ୍ଷ ଚିନ୍ତା କରୁଥିବା ଜଣାପଡିଛି।

Spread the love