ଶାରଦୀୟ ନବରାତ୍ରି ୨୦୨୨: ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ ଦୂର କରନ୍ତି ମା’ ବ୍ରହ୍ମଚାରିଣୀ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି। ଏହି ୯ ଦିନରେ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା ଆରାଧନା କରାଯାଏ। ପ୍ରଥମେ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏହିଦିନ ଲୋକ ବ୍ରତ ରଖିବା ପରେ ନିଜ ଘରେ କଳସ ସ୍ଥାପନା କରନ୍ତି। ସେହିପରି ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏ । ମା’ ବ୍ରହ୍ମଚାରିଣୀଙ୍କ କୃପାରୁ ମନୁଷ୍ୟ ନିଜର ଆନ୍ତରିକ ଶାନ୍ତି ପାଇଥାଏ । ଶାସ୍ତ୍ରରେ ମା’ ବ୍ରହ୍ମଚାରିଣୀଙ୍କୁ ମା’ ଦୁର୍ଗାଙ୍କ ବିଶେଷ ସ୍ୱରୂପ ବୋଲି କୁହାଯାଇଛି। ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି। ମା’ଙ୍କୁ ବିଧି ପୂର୍ବକ ପୂଜା କଲେ ମା’ ସବୁ ମନସ୍କାମନା ପୂରଣ କରିଥାନ୍ତି ଓ ସବୁ ସମସ୍ୟା ଦୂର କରିଥାନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍ କରିଥାଏ। ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ। ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।

ଶୁଭ ମୁହୂର୍ତ୍ତ ଏବଂ ତିଥି : ନବରାତ୍ରିର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀକୁ ପୂଜା କରାଯାଏ। ୨୭ ସେପ୍ଟେମ୍ବର ସକାଳ ୩.୯ ମିନିଟରୁ ୨୮ ସେପ୍ଟେମ୍ବର ୨.୨୮ ମିନିଟ ପର୍ଯ୍ୟନ୍ତ ତିଥି ରହିଛି।

କ’ଣ ରହିଛି ମା’ଙ୍କ ପୂଜା ବିଧି : ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ। ପୁରାଣ କଥା ଅନୁଯାୟୀ, ମା’ ବ୍ରହ୍ମଚାରିଣୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବାକୁ ମା’ ବ୍ରହ୍ମଚାରିଣୀ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଗଲା। ପୌରାଣିକ କଥା ଅନୁସାରେ ମା’ ହଜାରେ ବର୍ଷ ଯାଏଁ ଫଳମୂଳ ଖାଇ ଜୀବନ ଅତିବାହିତ କରିଥିଲେ। ଏହାପରେ ମା’ କଠିନ ଉପବାସ ରଖିଲେ ଓ ଖୋଲା ଆକାଶ ତଳେ ଖରା ବର୍ଷା ସହ୍ୟ କରିଥିଲେ। ଛିଣ୍ଡା ବେଲ ପତ୍ର ସେବନ କରି ଭଗବାନ ଶିବଙ୍କୁ ଆରାଧନା କରିଥିଲେ। ଶିବ ଯେତେବେଳେ ପ୍ରସନ୍ନ ହୋଇନଥିଲେ ସେ ବେଲ ପତ୍ର ସେବନ କରିବା ଛାଡିଦେଲେ ଓ ଅନେକ ବର୍ଷ ଯାଏଁ ନିର୍ଜଳା ତପସ୍ୟା କରିଥିଲେ। କଠୋର ତପସ୍ୟା ଯୋଗୁଁ ସେ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ଦେବତା, ମୁନିଋଷି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ମନସ୍କାମନା ପୂରଣ ହେବ ବୋଲି ଆଶୀର୍ବାଦ ଦେଇଥିଲେ।

Spread the love