ଏମିତି ଏକ ଦେବୀ, ମଥାରେ ନାହିଁ ସିନ୍ଦୁର
ଆମ ରାଜ୍ୟ ଓଡ଼ିଶାରେ ଅନେକ ଦେବାଦେବୀ ପୀଠ ରହିଛି । ଆଉ ସେହି ପୀଠଗୁଡ଼ିକରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଆଜି ଆମେ ଆପଣଙ୍କୁ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀପୀଠ ସଂପର୍କରେ କହିବାକୁ ଯାଉଛୁ। ଏହି ମନ୍ଦିର ରହିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବାରଗାଁରେ। ମନ୍ଦିର ନାଁ ମାଆ ମାଟିଆ ମଙ୍ଗଳା । ବିଶ୍ୱାସ ଓ ପରମ୍ପରାର ଅନନ୍ୟ ପ୍ରତୀକ ହେଉଛି ଏହି ମନ୍ଦିର। ବିଶ୍ୱାସ ରହିଛି ଯେ ଏଠାରେ ମାଆ ସ୍ୱୟଂ ଆବିର୍ଭୂତା ହୋଇଛନ୍ତି । ମା’ଙ୍କ ପୂଜକ ହେଉଛନ୍ତି ରାଉଳ ସଂପ୍ରଦାୟର। କିମ୍ବଦନ୍ତୀ ଅନୁସାରେ କୁହଯାଏ କି ରହିଛି କି ମାଆ ବାଳିକା ରୂପରେ ବାଟରେ ଯାଉଥିବା ସମୟରେ ଜଣେ ଶଙ୍ଖାରୀଙ୍କୁ ଶଙ୍ଖା ମାଗିଥିଲେ। ମାଆଙ୍କ ପାଖରେ କଉଡ଼ି ନଥିଲା। ସେଥିପାଇଁ ସେ ତାଙ୍କ ବାପା ଶ୍ରୀବତ୍ସ ରାଉଳଙ୍କ ନିକଟରୁ କଉଡ଼ି ନେବା ପାଇଁ କହିଥିଲେ । ଶଙ୍ଖାରୀ ଜଣକ ଶ୍ରୀବତ୍ସଙ୍କୁ କଉଡ଼ି ମାଗିବା ବେଳେ ଜାଣିଲେ ଯେ ତାଙ୍କର କୌଣସି ଝିଅ ହିଁ ନାହିଁ। ଶେଷରେ ମାଆ ସଙ୍କେତ ଦେଇଥିବା ଘରର ନିର୍ଦ୍ଦିଷ୍ଟ ସ୍ଥାନରେ କଉଡ଼ି ଦେଖି ଶ୍ରୀବତ୍ସ ମା’ଙ୍କ ପାଖକୁ ଦୌଡି ଗଲେ । ଦେଖନ୍ତିତ ମାଆ ମୂର୍ତ୍ତି ପାଲଟି ଯାଇଛନ୍ତି। ସେହିଦିନ ଠାରୁ ମା’ ସେଠାରେ ପୂଜା ପାଇ ଆସୁଛନ୍ତି।
ପୀଠର ଅନ୍ୟତମ କିମ୍ବଦନ୍ତୀ ଅନୁଯାୟୀ ଏଠାରେ ପୂଜା କରୁଥିବା ୩୧ ରାଉଳ ସଂପ୍ରଦାୟର ସ୍ତ୍ରୀ ଲୋକମାନେ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧନ୍ତି ନାହିଁ। ହିନ୍ଦୁ ଘର ନାରୀର ଆଭୂଷଣ ଶଙ୍ଖା ଓ ସିନ୍ଦୂର କିନ୍ତୁ ମା’ଙ୍କୁ ଲାଗି କରାଯାଉଥିବା ଶଙ୍ଖା-ସିନ୍ଦୂର ଉପରେ କାଳେ ଲୋଭ ହେବ, ସେଥିଲାଗି ରାଉଳ ଘରର ବିବାହିତା ମହିଳା ସିନ୍ଦୂର କିମ୍ବା ଶଙ୍ଖା ପିନ୍ଧନ୍ତି ନାହିଁ। ସେମାନେ ସିନ୍ଦୂର ବଦଳରେ କୁଙ୍କୁମ ଓ ଶଙ୍ଖା ବଦଳରେ ପାଣି ଚୁଡ଼ି ପିନ୍ଧିଥାନ୍ତି। ସକାଳ ସମୟରେ ମାଆଙ୍କ ନିକଟରେ ଲାଗି ହେଉଥିବା ବାଲ୍ୟ ଭୋଗରେ ଦିଆଯାଏ କଦଳୀ ଛେନା ପଣା । ମଧ୍ୟାହ୍ନରେ ମାଛ ଘାଣ୍ଟ ସହ ଢିଙ୍କି କୁଟା ଚାଉଳର ଖେଚୁଡ଼ି ଭୋଗ ଲାଗି ହୁଏ । ଯାହା ଭକ୍ତଙ୍କୁ ଟାଣି ଆଣିଥାଏ ମାଆଙ୍କ ପାଖକୁ। କେଉଁ ଅନାଦି କାଳରୁ ଚାଲି ଆସୁଥିବା ଏହି ପରମ୍ପରା ମାଆଙ୍କ ଉପରେ ଶ୍ରଦ୍ଧାଳୁଙ୍କ ଭରସାକୁ ପ୍ରତିପାଦିତ କରୁଛି। ଏଠାରେ ମାନସିକଧାରୀଙ୍କ ସବୁ ମନୋବାଞ୍ଛା ପୂର୍ଣ୍ଣ ହେଉଥିବାର ବିଶ୍ୱାସ ମଧ୍ୟ ରହିଛି।