ମା’ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା

ଜଗତସିଂହପୁର ୧୨।୧୦:  ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ । ପୀଠରେ ମହାଷ୍ଟମୀ । ବିଭିନ୍ନ ଶକ୍ତି ପୀଠରେ ପାଳିତ ହେଉଛି ପବିତ୍ର ମହାଷ୍ଟମୀ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଷୋଳ ପାର୍ବଣର ଆଜି ଅନ୍ତିମ ଦିବସ । ସେହି ପରି ଭାବରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ । ଆଜି ମା ଶାରଳା ମହିଷା ମର୍ଦ୍ଦିନୀ ବେଶରେ ସୁସଜିତ ହେବା ସହ ମାଙ୍କ ନିକଟରେ ୧୦୮ ପଣା ହାଣ୍ଡି ବଳି ପ୍ରଦାନ କରାଯିବ ।

ତେବେ ଆଜି ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ମାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । କେବଳ ମନ୍ଦିର ପୂଜକ, ସେବକ,ସେବା ନିଯୋଗୀ ନିର୍ଦ୍ଦିଷ୍ଟ ସଂଖ୍ୟକ ପୂଜକଙ୍କୁ ନେଇ ପୂଜାନୀତି ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଏସ୍.ଓ.ପି. ମାନି ପାର୍ବଣ ପୂଜା ସମାପନ କରିବାକୁ ଶାରଳା ମନ୍ଦିର ପ୍ରଶାସନକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

Spread the love