ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପି ପାଇଁ ‘କିଙ୍ଗମେକର’ ସାଜିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ/ ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇସାରିଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ବିପୁଳ ବିଜୟ ସହ ଶାସନ କ୍ଷମତାକୁ ଫେରୁଛି। ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଦୁଇ ଅଙ୍କରେ ସୀମିତ ଥିବା ଜଣାପଡିଛି। ଏଭଳି ସ୍ଥିତିରେ ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ବିଜେପିର କଠିନ ପରିଶ୍ରମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିଜେପି ସପକ୍ଷରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାବେଳେ ରାଜ୍ୟରେ ମୁଖ୍ୟ ଚର୍ଚ୍ଚା ହେଉଛି ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନୁହଁନ୍ତି; ବରଂ ‘କିଙ୍ଗମେକର’ ହେଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯିଏକି ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ପାଇଁ ସହ-ପ୍ରଭାରୀ ରହିଥିଲେ। ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଦଳର ସହ-ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ବୈଷ୍ଣବ ଅତୀତରେ ଜଣେ ପ୍ରଶାସନିକ ଅଧିକାରୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ଥିଲେ। ଏଭଳି ପରିସ୍ଥିତିରେ ବିଜେପି ତାଙ୍କ ପ୍ରଶାସନିକ ଦକ୍ଷତା ବିଷୟରେ ଭଲ ଭାବେ ଅବଗତ ଥିଲା। ସେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଉତ୍ତମ ସମନ୍ଵୟ ସ୍ଥାପନ କରିବା ସହ ଦଳର ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଯୋଜନା ସୁନିଶ୍ଚିତ କରିଥିଲେ।

କ’ଣ ଥିଲା ବୈଷ୍ଣବଙ୍କ ନିର୍ବାଚନୀ ରଣନୀତି?

ନିର୍ବାଚନ ସମୀକ୍ଷକଙ୍କ କହିବା ଅନୁଯାୟୀ, କିଛି ମାସ ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିର ମନୋବଳ ବହୁତ କମ୍‌ ଥିଲା। ଏଭଳି ପରିସ୍ଥିତିରେ ରାଜ୍ୟରେ ଦଳର ସହ-ପ୍ରଭାରୀ ଭାବେ ବୈଷ୍ଣବଙ୍କ ନିଯୁକ୍ତି ପ୍ରଥମେ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ବୈଷ୍ଣବ ଦଳୀୟ କର୍ମୀଙ୍କ ଘରକୁ ଘର ବୁଲି ପ୍ରଚାର କରି ରାଜ୍ୟର ପ୍ରତ୍ୟେକ ତୃଣମୂଳ ସ୍ତରରେ ପହଞ୍ଚିଥିଲେ। ବୈଷ୍ଣବ ଓ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମର ଫଳ ସ୍ୱରୂପ ଆଜି ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି।

ନିର୍ବାଚନ ଫଳାଫଳକୁ ନେଇ କ’ଣ କହନ୍ତି ବୈଷ୍ଣବ?

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମଗ୍ର ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟିରେ ବିଶ୍ୱାସ କରେ ଏବଂ ଦେଶକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପରେ ଯୋଗ ଦେବାକୁ ଏବଂ ସମର୍ଥନ କରିବାକୁ ଦେଶବାସୀ ଚାହୁଁଛନ୍ତି ଏବଂ ଆଜିର ଫଳାଫଳ ଏହାର ସ୍ପଷ୍ଟ ପ୍ରମାଣ। ଦିଗବିଜୟ ସିଂହ ଓ କମଳନାଥ ଏବେ ଇତିହାସ, ଆପଣ ସେମାନଙ୍କୁ ଭୁଲି ବିକାଶ ପଥରେ ଆଗକୁ ବଢ଼ିବା ଦରକାର।

Spread the love