ଆଜି ପବିତ୍ର ମାଘ ସପ୍ତମୀ

କୋଣାର୍କ ୦୭।୦୨ : ଆଜି ପବିତ୍ର ମାଘ ସପ୍ତମୀ । କରୋନା କଟକଣାରେ ପଡିଲା ମାଘବୁଡ଼ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷର ପ୍ରସିଦ୍ଧ ଚନ୍ଦ୍ରଭାଗାର ମାଘ ବୁଡ଼ ପଡିଛି। ଆଜି ଭୋର୍ ରୁ ତିନି ଠାକୁର ଦକ୍ଷୀଣଶ୍ବର, ଐଶାନଶ୍ବର,  ତ୍ରିବେଣୀଶ୍ବରଙ୍କୁ ଘଣ୍ଟଘଣ୍ଟା ବାଣବାଜାରେ ରୋଷଣୀ କରାଯାଇ ଅଣାଯାଇଥିଲା । ତିନି ଠାକୁର ତିନି ଗୋଟି ସ୍ଥାନରେ ପନ୍ଥିଭୋଗ ଦିଆଯିବା ପରେ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ପ୍ରବେଶ କରିବା ବାଟରେ ନିକଟସ୍ଥ ମହୋଦଧିରେ ପ୍ରଥମେ ଖନନ କରିବା ପରେ ତୀର୍ଥ ପୁଷ୍କରିଣୀକୁ ନିଆ ଯାଇଥିଲା ।

ସେଠାରେ ସେବାୟତ ମାନେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ସେବାୟତ ମାନେ ତିନି ଠାକୁରଙ୍କୁ ନେଇ ତୀର୍ଥ ପୁଷ୍କରିଣୀ ରେ ସ୍ନାନ କରିଥିଲେ ।

ପରେ ସାଧୁସନ୍ଥମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆଳତୀ କରିଥିଲେ । ପ୍ରଥମେ ତିନି ଠାକୁରଙ୍କ ସେବାୟତ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ଥିଲେ । ଏହାପରେ ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ତୀର୍ଥ ପୁଷ୍କରିଣୀରେ ସ୍ନାନ ପକାଇଥିଲେ । କୁହାଯାଏ ଏହି ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ କୋଟି ଜନ୍ମର ପାପ ନାସ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ।ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପ୍ରସିଦ୍ଧ ମାଘ ସପ୍ତମୀ ବୁଡ ଅନୁଷ୍ଠିତ ହୋଇଛି । ଏଥର ପ୍ରଶାସନ ପକ୍ଷରୁ ମାତ୍ର ୫ ଶହ ଲୋକଙ୍କ ମଧ୍ୟରେ ଏହି ମାଘବୁଡ ସମ୍ପନ୍ନ ହୋଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ,୮ ଜଣ ଡିଏସପି,୧୪ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଶ୍ରଦ୍ଧାଳୁ ମାନଙ୍କୁ ପ୍ରଥମରୁ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇବାକୁ ବାରଣ କରା ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଏହି ୧୪୪ ଧାରା ଏହି ଆଜି ସକାଳ ୯ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

Spread the love