ଓଡ଼ିଶାରେ ୨ ବର୍ଷରେ ୪ ମଲେଣି

ଭୁବନେଶ୍ବର: ମହାବଳ ବାଘଙ୍କ ପ୍ରତି ମାଡ଼ିଆସୁଛି ବିପଦ। ଗୋଟିଏ ପଟେ ମହାବଳ ବଂଶ ବୃଦ୍ଧି ନେଇ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଅନ୍ୟପଟେ ମହାବଳଙ୍କ ମୃତ୍ୟୁରେ ରେକର୍ଡ କରିଛି ଭାରତ। ୨୦୨୩ ଜାନୁଆରି ପହିଲାରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଦେଶରେ ୧୫୯ଟି ମହାବଳଙ୍କ ମୃତ୍ୟୁ ହୋଇସାରିଲାଣି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ମହାବଳଙ୍କ ମୃତ୍ୟୁର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ୧୧ ମାସ ମଧ୍ୟରେ ଓଡ଼ିଶାରେ ଦୁଇଟି ମହାବଳଙ୍କ ଜୀବନ ଯାଇଛି। ଲଗାତାର ଦ୍ବିତୀୟ ବର୍ଷ ଲାଗି ଓଡ଼ିଶାରେ ଦୁଇଟି ଲେଖାଏ ମହାବଳଙ୍କ ମୃତ୍ୟୁ ହୋଇଛି। ପ୍ରତି ୪ବର୍ଷରେ ଜାତୀୟ ସ୍ତରରେ ହେଉଥିବା ବାଘ ଗଣନାରେ ଓଡ଼ିଶାରେ ମହାବଳଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଓଡ଼ିଶା ଜଙ୍ଗଲରୁ ମହାବଳଙ୍କ ସଂଖ୍ୟା କମିବାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟ ଅନୁଯାୟୀ, ୨୦୨୩ରେ ମରିଥିବା ୧୫୯ଟି ମହାବଳଙ୍କ ମଧ୍ୟରୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସର୍ବାଧିକ ୩୭ଟି ବାଘ ରହିଛନ୍ତି, ଯାହାକି ଗତବର୍ଷ ତୁଳନାରେ ଅଧିକ। ମଧ୍ୟପ୍ରଦେଶରେ ୨୦୨୨ରେ ୩୪ଟି ମହାବଳଙ୍କ ଜୀବନ ଯାଇଥିଲା। ଏଥର ତାହା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨୦୨୧ରେ ୨୬, ୨୦୨୨ରେ ୨୮ଟି ମହାବଳଙ୍କ ମୃତ୍ୟୁ ହୋଇଥିଲା। ଏଥର ତାହା ୩୭ରେ ପହଞ୍ଚିଛି। ୨୦୨୩ ଶେଷ ବେଳକୁ ସଂଖ୍ୟା କେତେ ହୋଇଥିବ ତାହା ଆକଳନ କରିବା ମୁସ୍କିଲ୍‌ ହୋଇପଡ଼ିଛି। କର୍ଣ୍ଣାଟକ, କେରଳ, ଉତ୍ତରାଖଣ୍ଡ, ଆସାମ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ରାଜସ୍ଥାନରେ ମଧ୍ୟ ମହାବଳ ଟଳିପଡ଼ିଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ଅଧାରୁ ଅଧିକ ମହାବଳ ଅଭୟାରଣ୍ୟ ଭିତରେ ହିଁ ପ୍ରାଣ ହରାଇଛନ୍ତି। ୨୦୧୨ରେ ଦେଶରେ ୮୮ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୩ରେ ୬୮, ୨୦୧୪ରେ ୭୮, ୨୦୧୫ରେ ୮୨, ୨୦୧୬ରେ ୧୨୧, ୨୦୧୭ରେ ୧୧୭, ୨୦୧୮ରେ ୧୦୧, ୨୦୧୯ରେ ୯୬, ୨୦୨୦ରେ ୧୦୬, ୨୦୨୧ରେ ୧୨୭, ୨୦୨୨ରେ ୧୨୧ଟିଙ୍କର ମୃତ୍ୟୁ ହୋଇଛି। ଏହି ରିପୋର୍ଟଠାରୁ ଆହୁରି ସାଂଘାତିକ ତଥ୍ୟ ଦେଇଛି ୱାଇଲ୍ଡ ଲାଇଫ୍‌ ପ୍ରୋଟେକ୍ସନ ସୋସାଇଟ୍‌ ଅଫ୍‌ ଇଣ୍ଡିଆ। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ୨୦୨୩ରେ ଦେଶରେ ୧୮୩ଟି ମହାବଳଙ୍କ ଜୀବନ ଯାଇଛି, ଯାହାକି ୨୦୨୨ ତୁଳନାରେ ଢେର ଅଧିକ। ୨୦୨୨ରେ ୧୪୩ଟି ମହାବଳଙ୍କ ମୃତ୍ୟୁ ହୋଇଥିବା ଏହି ସଂସ୍ଥା ଦର୍ଶାଇଥିଲା। ଉଭୟ ସଂସ୍ଥା ରିପୋର୍ଟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ସର୍ବାଧିକ ମହାବଳଙ୍କ ମୃତ୍ୟୁ ଦର୍ଶାଯାଇଛି।

ଚଳିତବର୍ଷ ଏପ୍ରିଲ ୩୦ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନ୍‌ରେ ଗୋଟିଏ ମହାବଳର ମୃତ୍ୟୁ ହୋଇଥିଲା। ମହାବଳଟି ବୟସ୍କ ହୋଇଥିବା ବେଳେ ଅଣ୍ଡିରା ପ୍ରଜାତିର ଜଣାପଡ଼ିଛି। ମାତ୍ର ଜୁନ୍‌ ପ୍ରଥମ ସପ୍ତାହରେ ଖଡ଼ିଆଳ ରେଞ୍ଜରେ ଯେଉଁ ମହାବଳର ମୃତ୍ୟୁ ହୋଇଥିଲା ତାହାର ବୟସ କିମ୍ବା ଲିଙ୍ଗ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ୨୦୨୨ ମେ’ ୧୯ରେ ବାରିପଦା ସର୍କଲର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍‌ର ବ୍ରାହ୍ମଣୀପାଳ ରେଞ୍ଜ୍‌ର ଏକ ଗ୍ରାମରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା। ଉକ୍ତ ମହାବଳ ବୟସ୍କ ହୋଇଥିବା ବେଳେ ଲିଙ୍ଗ ସମ୍ପର୍କରେ କିଛି ବି ଜଣାପଡ଼ି ନ ଥିଲା। ସେହିପରି ଡିସେମ୍ବର ୧୪ରେ ବାରିପଦା ଟେରିଟୋରିଆଲ୍‌ ଡିଭିଜନର ଉଦଳା ରେଞ୍ଜର ରାଜ୍ୟ ରାଜପଥ-୧୯ ନିକଟ ରାସ୍ତାପାର୍ଶ୍ବରେ ଗୋଟିଏ ମହାବଳର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ମହାବଳର ପ୍ରଜାତି ଓ ବୟସ ସମ୍ପର୍କରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ମଳିପାରି ନ ଥିବା ଏନ୍‌ଟିସିଏ ପକ୍ଷରୁ ସୂଚନା ଦିଆଯାଇଛି। ବିଧାନସଭା ଅଧିବେଶନ ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ଓଡ଼ିଶାରେ ୬ଟି ମହାବଳଙ୍କର ମୃତ୍ୟୁ ହୋଇଛି। ସେଥିରୁ ୩ଟି ଶିକାରୀଙ୍କ ଦ୍ୱାରା ମରିଛନ୍ତି। ଏହା ଭିତରେ ଦୁଇ ବର୍ଷରେ ୪ଟି ମହାବଳଙ୍କ ମୃତ୍ୟୁ ବଂଶ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love