ମହାନଦୀ ପାଇଁ ମୁହାଁ ମୁହିଁ

ଭୁବନେଶ୍ୱର, ୨/୧: ମହାନଦୀ ପାଇଁ ଶାସକ ଏବଂ  ବିରୋଧୀ ମୁହାଁ ମୁହିଁ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ପକ୍ଷରୁ ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ ଯୋଗୁଁ ବିବାଦ ଉପୁଜିଥିଲା। ଓଡ଼ିଶାକୁ ପାଣି ଆସିବନି ଦର୍ଶାଇ ଏହାରତୀବ୍ର ବିରୋଧ କରିଥିଲେ ରାଜ୍ୟ ସରକାର ଏବଂ ବିଭିନ୍ନ ସଂଗଠନ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗତ ୩ ବର୍ଷ ଭିତରେ ସମସ୍ତେ ଭୁଲିଯାଇଥିବାର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କୌଣସି ନିଷ୍କର୍ଷ ବାହାରି ନଥିବାବେଳେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆଉ ଦୁଇ ମାସପରେ ସରିବାକୁ ଥିବାରୁ ସେ ଚିନ୍ତାପ୍ରକଟ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୧୮ ମାର୍ଚ୍ଚ ମାସରେ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ୩ ବର୍ଷ ହୋଇଥିବା ବେଳେ ଆଉ ୨ ମାସପରେ ତାହା ପୂରଣ ହୋଇଯିବ। ହେଲେ ଟ୍ରିବ୍ୟୁନାଲରେ କ’ଣ ନିଷ୍ପତ୍ତି ହେଲା ତାହା ଏପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ଓଡ଼ିଶା ଏଥିରେ ଲାଭବାନ ହେଲା ନା କ୍ଷତିଗ୍ରସ୍ତ? ଏନେଇ ସମସ୍ତେ ଅଜ୍ଞ। ରାଜ୍ୟ ସରକାର ମଧ୍ୟ ଏଯାଏଁ କିଛି ସ୍ପଷ୍ଟ କଲେନାହିଁ। ଏ ପରିସ୍ଥିତିରେ ଟ୍ରିବ୍ୟୁନାଲରେ ହୁଏତ ଓଡ଼ିଶା ନିଜର ଦାବି ସଠିକ ଭାବରେ ରଖିନାହିଁ କିମ୍ବା ଏଥିରେ ବିବାଦର ସମାଧାନ ହୋଇପାରିବ ନାହିଁ ଏନେଇ ଆଶଙ୍କା ଉପୁଜିଛି। ସଂସଦ ଅଧିବେଶନ ଆରମ୍ଭ ହୋଇଥିବାରୁ ରାଜ୍ୟର ସାଂସଦମାନେ ଏହାକୁ ଗୃହରେ ଉଠାଇବାର ଆବଶ୍ୟକତା ଅଛି।
ସେ ଏହାମଧ୍ୟ ଦର୍ଶାଇଛନ୍ତି ଯେ ଉପରମୁଣ୍ଡରେ ବନ୍ଧ ନିର୍ମାଣ ପରଠୁ ଅଣମୌସୁମୀ ଋତୁରେ ଓଡ଼ିଶା ଉପଯୁକ୍ତ ପାଣି ଆଉ ପାଉନାହିଁ। ଏବେଠୁ ନଦୀ ଶୁଖିଲାଣି। ଏଣୁ ସରକାର ସଚେତନ ନେହେଲେ ଅବସ୍ଥା ଭୟଙ୍କର ହେବ। ଇବ୍ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡରେ ଥିବା ଉପନଦୀରେ ମଧ୍ୟ ୧୨ ପ୍ରକଳ୍ପ ହୋଇପାରୁନି। ଏହାସହ ତଳମୁଣ୍ଡରେ ଓଡ଼ିଶା ସରକାର ଘୋଷଣା ମୁତାବକ ୬ଟି ବ୍ୟାରେଜ କେବେ ନିର୍ମାଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏବଂ ଜଳସମ୍ପଦ ବିଭାଗ ସନ୍ତୋଷଜନକ ଉତ୍ତର ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି ରଖିଛନ୍ତି।

Spread the love