ନୂଆ ବର୍ଷରୁ ମହଙ୍ଗା ହେବ ଏହି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ

ନୂଆଦିଲ୍ଲୀ ୨୩/୧୨ : ସାଧାରଣ ଲୋକଙ୍କ ଉପରେ ପୁଣି ଲାଗିବ ଦରଦାମ ବୃଦ୍ଧିର ଝଟକା । ଆସନ୍ତା ବର୍ଷ ଜାନୁଆରୀ ୧ରୁ ଜୋତା, କପଡ଼ା ଓ ଅନଲାଇନରେ ମଗାଉଥିବା ଖାଦ୍ୟ ଇତ୍ୟାଦିର ଦାମ ବଢ଼ିବାକୁ ଯାଉଛି। ୧ ତାରିଖଠାରୁ ରେଡିମେଟ କପଡ଼ାରେ ଜିଏସଟି (ଦ୍ରବ୍ୟ ଓ ସେବା କର)୫ ପ୍ରତିଶତରୁ ବଢ଼ି ୧୨ ପ୍ରତିଶତରେ ପହଞ୍ଚିବ। ଏହା ଦ୍ୱାରା ରେଡିମେଟ କପଡ଼ାର ମୂଲ୍ୟ ବଢ଼ିଯିବ।

ଜିଏସଟି ବଢ଼ିବା ଦ୍ୱାରା ଖୁଚୁରା ବ୍ୟବସାୟ ପୁରାପୁରି ଭାବେ ପ୍ରଭାବିତ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ରେଡିମେଟ ବ୍ୟବସାୟରେ ଥିବା ବ୍ୟବସାୟୀ ମାନେ ଜିଏସଟି ବୃଦ୍ଧିକୁ ବିରୋଧ କରିଛନ୍ତି। କିନ୍ତୁ ସରକାର ନିଜର ନିଷ୍ପତ୍ତିକୁ ବଦଳାଇବେ ନାହିଁ ବୋଲି ଜଣା ପଡ଼ିଛି। ତେଣୁ ନୂଆବର୍ଷ ଠାରୁ ରେଡିମେଟ ଡ୍ରେସ କିଣିବାପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ଜିଏସଟିରେ ୫ପ୍ରତିଶତ ବଢ଼ାଇ ୧୨ ପ୍ରତିଶତ କରିଛନ୍ତି। ଟ୍ୟାକ୍ସରେ ଏହି ନୂଆ ପରିବର୍ତ୍ତିତ ନିୟମ ଆସନ୍ତା ୨୦୨୨ ଜାନୁଆରୀ ୦୧ ତାରିଖ ପାଖରୁ ଲାଗୁ ହେବ।

ଯଦି ଅନଲାଇନ ଡେଲିଭରି ଆପ୍‌ରୁ ଖାଦ୍ୟ ମଗାଇ ଖାଉଛନ୍ତି ତାହେଲେ ଆପଣଙ୍କୁ ଆସନ୍ତା ବର୍ଷରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କାରଣ ନୂଆ ବର୍ଷରୁ ସ୍ୱିଗି, ଜମାଟୋ ଭଳି ଆପ୍‌ରେ ଖାଦ୍ୟ ମଗାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ। ଆସନ୍ତା ୨୦୨୨ ଜାନୁଆରୀ ୦୧ରୁ ଖାଦ୍ୟ ଡେଲିଭରି ଆପରେ ୫ ପ୍ରତିଶତ ଜିଏସଟି ଲାଗିବ। କିନ୍ତୁ ଏହା ଦ୍ୱାରା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ଏହି ଟ୍ୟାକ୍ସ ସରକାର ଗ୍ରାହକଙ୍କ ଠାରୁ ନେବେନାହିଁ। ଖାଦ୍ୟ ଡେଲିଭରି କମ୍ପାନୀମାନେ ଏହି ଟ୍ୟାକ୍ସ ସରକାରଙ୍କୁ ପୈଠ କରିବେ। କିନ୍ତୁ ଯେକୌଣସି ଉପାୟରେ କମ୍ପାନୀ ଗ୍ରାହକଙ୍କଠାରୁ ଏହି ଟ୍ୟାକ୍ସର ଭରଣା କରିବ ବୋଲି ଜଣା ପଡ଼ିଛି। କିନ୍ତୁ ୨୦୨୨ମସିହାରୁ ଅନଲାଇନ ଆପରେ ଖାଦ୍ୟ ମଗାଇବା ଗ୍ରାହକଙ୍କୁ ମହଙ୍ଗା ପଡ଼ିପାରେ ।

Spread the love