ମହାପ୍ରଭୁଙ୍କୁ ୪କେଜି ୮୫୮ଗ୍ରାମ ସୁନା ଏବଂ ୩କେଜି ୮୭୬ଗ୍ରାମ ରୂପା ଅଳଙ୍କାର ଦାନ କଲେ ଭକ୍ତ

ମାଘ ଶୁକ୍ଳ ପଞ୍ଚମୀ ତିଥି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଅଛି । ଆଜି ସନ୍ଧ୍ୟାରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ଭାଗରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ରଥ କାଠ ତ୍ରୟଙ୍କର ପୂଜାର୍ଚ୍ଚନା ବିଧିମତେ ସମ୍ପନ୍ନ ହୋଇଥିଲା । ଏହି ଶୁଭ ଅବସରରେ ଜଣେ ଦାତା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ଉକ୍ତ ଭକ୍ତ ୪କେଜି ୮୫୮ଗ୍ରାମ ସୁନା ଓ ୩କେଜି ୮୭୬ଗ୍ରାମ ରୂପା ଅଳଙ୍କାର ଦାନ କରିଛନ୍ତି । ଭକ୍ତଙ୍କ ଦ୍ୱାରା ପ୍ରଦତ୍ତ ଏହି ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ପ୍ରଭୁ ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ତଥା ଦେବୀ ସୁଭଦ୍ରାଙ୍କ ୨ଟି ତଡ଼ଗି ଓ ୨ଟି ଝୋବା ।

ଦାତାଙ୍କ ପ୍ରତିନିଧି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡ଼. କ୍ରିଷନ କୁମାରଙ୍କୁ ଭେଟି ଏହି ଅଳଙ୍କାର ଦାନ କରିଛନ୍ତି। ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହୃତ ହେବ । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଜନାର୍ଦ୍ଦନ ପାଟ୍ଟଯୋଷୀ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love