ଶ୍ରୀଜିଉଙ୍କ ସ୍ନାନଯାତ୍ରା: ରାତି ୧ଟାରୁ ପହଣ୍ଡି, ମଧ୍ୟାହ୍ନ ୧୨ଟା ମଧ୍ୟରେ ହାତୀବେଶ

ଏହାପରେ ଅଧର ପୋଛା, ଅବକାଶ, ରୋଷହୋମ ନୀତି ହେବ। ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ନୀତି ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନନୀତି ହେବ। ପୂର୍ବାହ୍ନ ୧୦ଟା ୩୦ରେ ସ୍ନାନବେଦୀରେ ଗଜପତିଙ୍କ ଛେରା ପହଁରା, ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ହାତୀ ବେଶ ହେବ।  ବାହୁଡ଼ା ପହଣ୍ଡି ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ କରାଯିବ।ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ତାହାର ତାଲିକା ମଗାଯାଇଛି। ଏହି ତାଲିକା ୨ ଦିନ ଭିତରେ ମିଳିବ ବୋଲି ଆଶା କରାଯାଉଛି। ତାଲିକା ମିଳିବା ପରେ ଆଗାମୀ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ। ବୈଠକରେ ଆଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ସେ କହିଛନ୍ତି, ସ୍ନାନଯାତ୍ରା ସମୟରେ ଯାହାକୁ ଯେଉଁ ନୀତି କରିବାର ଅଛି, ତାହା କରିବାକୁ ହେବ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରଥମ ଥର ସମୟରେ ପରିବର୍ତ୍ତନ ହୋଇଛି। କରୋନା ଭାଇରସ ପାଇଁ ସ୍ନାନଯାତ୍ରାରେ ଏଭଳି ପରିବର୍ତ୍ତନ କରାଯାଇଛି। ପହଣ୍ଡି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ସେହିପରି ସେବାୟତମାନଙ୍କର କରୋନା ନମୁନା ପରୀକ୍ଷା ଜାରି ରହିବ ବୋଲି ପ୍ରଶାସକ କହିଛନ୍ତି।

 

Spread the love