ଆଜି ମହାପ୍ରଭୁଙ୍କ ବନକଲାଗି: ସନ୍ଧ୍ୟା ୬ରୁ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ଭିତରେ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି। ଦେଢ଼ ମାସ ପରେ ଆଜି (୯ ତାରିଖ ବୁଧବାର) ମହାପ୍ରଭୁଙ୍କ ବନକଲାଗି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ସେବକଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ବନକଲାଗି ପାଇଁ ବୁଧବାର ସନ୍ଧ୍ୟା ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ପ୍ରାୟ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ଦର୍ଶନ ସ୍ବାଭାବିକ ହେବ।ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକ ବିବାଦ କାରଣରୁ ନୀଳାଦ୍ରି ବିଜେ ପରଠାରୁ ରତ୍ନସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ପାଇଁ କହୁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ। ଏହି ବିବାଦ କାରଣରୁ ଜୁଲାଇ ୧ ତାରିଖରୁ ଶ୍ରୀବିଗ୍ରହଙ୍କ ବନକଲାଗି ହୋଇପାରିନାହିଁ। ଗତ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ୯ ତାରିଖ ବୁଧବାର ବନକଲାଗି ହେଉଛି। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ପ୍ରାୟ ସନ୍ଧ୍ୟା ୬ଟାରୁ ଦତ୍ତ ମହାପାତ୍ର ସେବକ ପ୍ରବେଶ କରିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

Spread the love