ନୂଆ କରୋନାଭାଇରସ ସଂକ୍ରମଣର ଭୟ: ମହାରାଷ୍ଟ୍ରରେ ପୁଣି ଥରେ ଲାଗୁ ହେଲା ନାଇଟ କର୍ଫ୍ୟୁ

କରୋନା ଭୂତାଣୁ ସଂକ୍ରମଣ ଏପର୍ଯ୍ୟନ୍ତ ଥମିବାର ନାଁ ନେଉ ନଥିବା ବେଳେ ବ୍ରିଟେନରେ ଆରମ୍ଭ ହୋଇଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ଟି ଦ୍ରୁତ ଗତିରେ ବଢ଼ୁଥିବା ନେଇ ବ୍ରିଟେନ ସରକାର ପୁଣି ଥରେ ଲକଡାଉନ ନିୟମ ଲାଗୁ କରିଥିବା ବେଳେ ସଂକ୍ରମଣ ଭୟରେ ଅନ୍ୟ ଦେଶମାନେ ମଧ୍ୟ ସତର୍କ ହେଉଛନ୍ତି। ଭାରତ ବ୍ରିଟେନରୁ ଆସୁଥିବା ଏବଂ ଯାଉଥିବା ବିମାନ ଉଡ଼ାଣ ଉପରେ ଡିସେମ୍ବର ୩୧ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ କରାଯାଇଛି।

ମୁମ୍ବାଇ ଏବଂ ସମସ୍ତ ପୌରପାଳିକା ନିଗମ କ୍ଷେତ୍ରରେ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କରାଯାଇଛି। ଏହା ବ୍ରିଟେନ ବ୍ୟତୀତ ୟୁରୋପୀୟ ଦେଶମାନଙ୍କରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ୧୪ଦିନିଆ ଅନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ। ତେବେ ବ୍ରିଟେନ ସହିତ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଇଟାଲୀରେ ମଧ୍ୟ ଏହି ନୂତନ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏ ନେଇ ସଂକ୍ରମଣ ଭୟରେ ଭାରତ ସମେତ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ, କାନାଡା, ଆୟରଲାଣ୍ଡ ଏବଂ ବୁଲଗେରିଆ ବ୍ରିଟେନରୁ ବିମାନ ଉଡାଣ ଉପରେ ରୋକ ଲଗାଇଛନ୍ତି |

Spread the love