ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ମିଶନଶକ୍ତି’ର ଭୂମିକା ଗୁରୁତ୍ଵପୂର୍ଣ୍ଣ, ପ୍ରଶଂସା କଲେ ଜାତିସଂଘ ଅଧିକାରୀ

ଭୁବନେଶ୍ୱର ୨୧।୦୯: ‘ମିଳିତ ଜାତିସଂଘ ମହିଳା’ର ଭାରତ ପ୍ରତିନିଧିଙ୍କ ଓଡିଶା ସରକାରଙ୍କୁ ପ୍ରଶଂସା। ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କଲେ ୟୁଏନ ଓମ୍ୟାନର ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ। ବିଶେଷ କରି ନବୀନ ସରକାରଙ୍କ ମିଶନଶକ୍ତିକୁ ଭୂୟଂଶୀ ପ୍ରଶଂସା କଲେ ଫର୍ଗୁସନ। ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ ମଙ୍ଗଳବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟରେ ମହିଳା ସଶକ୍ତିକରଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଜେନ୍ ଫର୍ଗୁସନ ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ ଅବଗତ କରାଇଛନ୍ତି ଯେ, ବୈଷୟିକ ଶିକ୍ଷା କ୍ଷେତ୍ରରେ ରାଜ୍ୟର ଅନ୍ତତଃ ଏକ ତୃତୀୟାଂଶ ଝିଅ ଗ୍ରାଜୁଏଟ ହେବା ତାଙ୍କ ସରକାରଙ୍କ ଲକ୍ଷ୍ୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଓ ନିଯୁକ୍ତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ଫର୍ଗୁସନଙ୍କୁ କହିଛନ୍ତି।

ଫର୍ଗୁସନ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏଥିସହ ଏ ଦିଗରେ ମିଶନ ଶକ୍ତିର ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ ଜେନ୍ ଫର୍ଗୁସନ । ରାଜ୍ୟରେ ଦାରିଦ୍ର‌୍ୟ ଦୂରୀକରଣ ଅଭିଯାନର ଗତିକୁ ମଧ୍ୟ ଜାତିସଂଘ ଅଧିକାରୀ ପ୍ରଶଂସା କରିଛନ୍ତି ।

Spread the love