ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଟ୍ରେନରେ ଯାତ୍ରା କରିଥିବେ | ବେଳେବେଳେ ଟ୍ରେନର ଫ୍ୟାନ କାମକରୁନଥାଏ ବା ଅବ୍ୟବସ୍ଥା ଦେଖିବାକୁ ମିଳେ | ଟ୍ରେନରେ ସ୍ୱଚ୍ଛତାର ଅଭାବ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଖରାପ ଖାଦ୍ୟକୁ ନେଇ ଲୋକମାନେ ପ୍ରତିଦିନ ଅଭିଯୋଗ କରନ୍ତି, କିନ୍ତୁ ଏଥର ରେଳ ବିଭାଗର ଜଣେ ଅଧିକାରୀ ଯାତ୍ରୀମାନଙ୍କ ଆଚରଣ ଉପରେ ଅଭିଯୋଗ କରିଛନ୍ତି। ଭାରତୀୟ ରେଳ ସହ ଜଡିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅନନ୍ତ ରୁପାନାଗୁଡି ନାମକ ଜଣେ ରେଳ ଅଧିକାରୀ ସୋସିଆଲ ମିଡିଆରେ ଦୁଇ ପିଲାଙ୍କ ଫଟୋ ସେୟାର କରିଛନ୍ତି। ଏ ସମ୍ପର୍କରେ ସେ ଦାବି କରିଛନ୍ତି ଯେ ବନ୍ଦେ ଭାରତ ଏବଂ ଅନ୍ୟାନ୍ୟ ଟ୍ରେନରେ ଭାଙ୍ଗିଯାଉଥିବା ସ୍ନାକ୍ସ ଟ୍ରେ ପାଇଁ ଏହା ହେଉଛି ଏକ ମୁଖ୍ୟ କାରଣ।
ଏହି ଫଟୋରେ ପିଲାମାନେ ସ୍ନାକ ଟ୍ରେରେ ବସିଥିବାର ନଜର ଆସିଛନ୍ତି | ପାଖରେ ସେମାନଙ୍କ ବାପା-ମା ବସିଥିବାବେଳେ ସ୍ନାକ(ହାଲୁକା ସାମଗ୍ରୀ) ରଖିବା ପାଇଁ ଟ୍ରେ ଉପରେ ଛୁଆଙ୍କୁ ବସାଇଦେଇଛନ୍ତି | ସୋସିଆଲ ମିଡିଆରେ ଏହା ପୋଷ୍ଟ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି | ଏହି ପୋଷ୍ଟକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ରୁପାନାଗୁଡିଙ୍କ ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ ପିଲାମାନଙ୍କର ପିତାମାତାଙ୍କଠାରୁ ଜରିମାନା ନିଆଯିବା ଉଚିତ୍।