ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର ଅନୁଷ୍ଠିତ

ଭୁବନେଶ୍ୱର ୧୪।୦୩ : ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି । ଲୋପାମୁଦ୍ରା ପରିଡାଙ୍କର ଭକ୍ତି ଅର୍ଘ୍ୟରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ବସ୍ତର୍ ଅଞ୍ଚଳର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ, ସୁସାହିତ୍ୟିକା ଓ ସଙ୍ଗଠିକା ସୁଶ୍ରୀ ଉର୍ମିଳା ଆଚାର୍ଯ୍ୟ ଯୋଗଦେଇଥିଲେ। ପ୍ରତି ମାସର ଦ୍ଵିତୀୟ ରବିବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଥାଏ ।

ତେବେ ଏହି ଅବସରରେ ‘ବୃତ୍ତି ଓ ବ୍ରତରେ ନାରୀ’ ବିଷୟବସ୍ତୁ ଉପରେ ସେ ନିଜର ମତାମତ ରଖିଥିଲେ। ସାହିତ୍ୟିକା ସୁଶ୍ରୀ ଉର୍ମିଳା କହିଛନ୍ତି ଯେ, ପ୍ରତିଟି ନାରୀ ସ୍ୱୟଂ ସମ୍ପର୍ଣ୍ଣା। ସମୟ ଓ କାର୍ଯ୍ୟମାନଙ୍କୁ ଠିକ୍ ରୂପେ ସମ୍ପାଦନା କରି ଜାଣିଲେ ସଫଳତା ନିଶ୍ଚେ ପ୍ରାପ୍ତ ହୋଇଥାଏ । ଦୀର୍ଘ ତିନିଶହ ବର୍ଷରୁ ସେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ରହୁଥିଲେ ମଧ୍ୟ ଆଜି ବି ତାଙ୍କ ହୃଦୟ ଓ ଆତ୍ମାରେ ଓଡ଼ିଆ ହିଁ ରହିଛି।

ସେହିପରି ଏହି ସାହିତ୍ୟ ଆସରରେ ନିଜ ନିଜ ସ୍ୱରଚିତ ପ୍ରବନ୍ଧ, କବିତା ଓ ଗଳ୍ପ ମାନଙ୍କୁ ପାଠ କରିଥିଲେ ମୈତ୍ରେୟୀ ମୌସୁମୀ ଦାସ, ଶର୍ମିଷ୍ଠା ସାହୁ, ମୈତ୍ରେୟୀ କମିଳା, ଜୟଶ୍ରୀ ପଟ୍ଟନାୟକ, ପ୍ରଭାତୀ ମଞ୍ଜରୀ ବେହେରା, ନମିତା ପାଇକରାୟ ଓ ସଂଘମିତ୍ରା ସେଣ୍ । ଆସରର ସମୀକ୍ଷା କରିଥିଲେ ବରିଷ୍ଠ ଗାଳ୍ପିକା ବିଜନବାଳା ପାଟ୍ଟଯୋଶୀ । ଦ୍ଵିତୀୟାର୍ଦ୍ଧରେ ପୁସ୍ତକ ସମୀକ୍ଷା ପର୍ବରେ ଗାଳ୍ପିକା ଗାୟତ୍ରୀ ଦାସ, ସୌମ୍ୟା ଶୁଭଦର୍ଶିନୀ ଓ ମୈତ୍ରେୟୀ ଲେଖିକା ସଙ୍ଗଠନର ସମ୍ପାଦିକା ଲକ୍ଷ୍ମୀ ଚାନ୍ଦ ଆମେରିକା ଫିଲାଡେଲଫିଆରେ ରହୁଥିବା ଗାଳ୍ପିକା ଚନ୍ଦ୍ରା ମିଶ୍ରଙ୍କର ସଦ୍ୟ ପ୍ରକାଶିତ ଗଳ୍ପ ପୁସ୍ତକ ‘ଝିଅଟିଏ ପଥୁରିଆ ସାହିରୁ”ର ସମୀକ୍ଷା କରିଥିଲେ। ମୈତ୍ରେୟୀ ବିଜୟା ପାଣିଗ୍ରାହୀଙ୍କ ଉପସ୍ଥାପନା ଓ ମୈତ୍ରେୟୀ ସସ୍ମିତା ମହାନ୍ତିଙ୍କର ସୁନ୍ଦର ସଂଯୋଜନାରେ କାର୍ଯ୍ୟକ୍ରମଟି ସଫଳ ରୂପେ ପରିଚାଳିତ ହୋଇଥିଲା। ଶେଷରେ ମୈତ୍ରେୟୀ ଶ୍ଵେତପଦ୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love