ମକର ଲାଗି ବଳଦେବଜୀଉ ମନ୍ଦିରରେ କଟକଣା, ପରିସରରେ ଲାଗିଲା ୧୪୪ ଧାରା

କେନ୍ଦ୍ରାପଡା : ଆସନ୍ତାକାଲି ମକର ସଂକ୍ରାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଏବଂ ଏହାର ୫ ଶହ ମିଟର ପରିଧି ମଧ୍ୟରେ ଏହି କଟକଣା ଲାଗୁ କରାଯାଇଛି ।  ୧୨ତାରିଖ ରାତି ୯ଟାରୁ ଆରମ୍ଭ ହୋଇଥିଲା ଓ  ୧୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି ସମୟସୀମା ମଧ୍ୟରେ ମନ୍ଦିର ମଧ୍ୟକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଓ ଦିଅଁ ଦର୍ଶନ ଉପରେ କଟକଣା ଲଗାଯାଇଛି । ତେବେ ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ମାସାଧିକ କାଳ ପିତ୍ରାଳୟରେ ରହି ଫେରିଥିବା ମା’ ଲକ୍ଷ୍ମୀ ସାଙ୍ଗରେ ଆଣିଥିବା ବିଭିନ୍ନ ବ୍ୟନକୁ ନେଇ ନବାଙ୍କ ବେଢା ପରିକ୍ରମା ହୁଏ ।

ସଂକ୍ରାନ୍ତି ପୂର୍ବଦିନ ୫ ଥର ଏବଂ ସଂକ୍ରାନ୍ତି ଦିନ ୪ ଥର ମକରବେଢା ପରିକ୍ରମା କରାଯାଏ । ଏଥିରେ ୮୪ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ମହାପ୍ରଭୁଙ୍କ ପାଇଁ ରହିଥାଏ । ଏହି ବେଢା ପରିକ୍ରମା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥାଆନ୍ତି । ହେଲେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଦୁର୍ଲଭ ନୀତି ଦେଖିବାରୁ ଭକ୍ତମାନେ ବଂଚିତ ହେବେ ।

Spread the love