ଡାବୁଗାଁ ବିଧାୟକଙ୍କ ମାନବିକତା, ଦୁର୍ଘଟଣାରେ ଆହତଙ୍କୁ ପହଞ୍ଚାଇଲେ ମେଡିକାଲ

ନବରଙ୍ଗପୁର,୦୬/୦୮: ଡାବୁଗାଁ ବିଧାୟକ ମନୋହର ରାନ୍ଧରୀଙ୍କ ମାନବିକତା । ସଡକ ଦୁର୍ଘଟଣାରେ ଛଟପଟ ହେଉଥିବା ତିନି ବାଇକ ଆରୋହୀଙ୍କୁ ନିଜ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଆଣି ଚିକିତ୍ସା କରାଇଲେ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ସଦାସର୍ବଦା ନିଜ ଉଦାର ମାନବିକତାର କାର୍ଯ୍ୟ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଥିବା ବିଧାୟକ ମନୋହର ରନ୍ଧାରୀ ପୁଣି ଚର୍ଚ୍ଚାର ପରିଧି ଭିତରକୁ ଆସିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଯାଉଥିବା ବେଳେ ରାସ୍ତାକଡରେ ବାଇକ ଆରୋହୀ ତିନିଜଣ ଦୁର୍ଘଟଣାର ଶିକାର ହୋଇ ପଡ଼ିରହି ସାହାଯ୍ୟର ଅପେକ୍ଷାରେ ଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ଦେଖି ସେ ନିଜେ ନିଜ ଗାଡ଼ିରେ ସମସ୍ତଙ୍କୁ ବସାଇ ମେଡିକାଲକୁ ଆଣିଥିଲେ ।

ସୂଚନା ଅନୁସାରେ ତିନି ବାଇକ ଆରୋହୀ ବୋରିଗୁମାରୁ ଡାବୁଗାଁ ବ୍ଲକ ଉମରାହାଣ୍ଡି ଫେରୁଥିବାବେଳେ ସେମାନଙ୍କୁ ଏକ କାର ଧକ୍କା ଦେଇଥିଲା । ଯାହା ଫଳରେ ସମସ୍ତେ ଗୁରୁତର ଆହତ ହୋଇ ରାସ୍ତାରେ ପଡିଥିବା ବେଳେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ତେବେ ଏଭଳି କାର୍ଯ୍ୟ କରି ବିଧାୟକ ନିଜେ ଖୁସି ଅନୁଭବ କରିବା ସହ ମାନବିକତା ଦୃଷ୍ଟିରୁ ଏଭଳି କାର୍ଯ୍ୟ ସମସ୍ତେ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Spread the love