ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ନେତା ମମତା ମହାନ୍ତ ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଏହି ଅବସରରେ ମମତା ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରବି ନାଏକ, ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଜେଡି ସମର୍ଥନରେ ପ୍ରଥମ ଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଗତମାସ ୩୧ ତାରିଖରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। 2011ରେ ରାଜନୀତିରେ ପାଦ ଥାପିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା। ବି‌ଶେଷ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସହିତ ତାଙ୍କର ସଂପୃକ୍ତି ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ବିଜେଡି ଏଠାରୁ କାହାକୁ ରାଜ୍ୟସଭା ପଠାଇବ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା। ଶେଷରେ କୁଡୁମୀ ସମ୍ପ୍ରଦାୟ ତଥା ଓବିସି ବର୍ଗର ମହିଳା ମମତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲଗାଇଥିଲେ ନବୀନ।

Spread the love