ସତ ଜାଣିବାର ଆବଶ୍ୟକତା ଅଛି, ସତକୁ ଚପାଇବାର ସମୟ ନୁହେଁ: ମମତା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ମମତା, ଆସନ୍ତାକାଲି କଟକ ଓ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ରୋଗୀଙ୍କୁ ଭେଟିବା ସହ ମୃତାହତଙ୍କ ପରିବାରଙ୍କୁ କ୍ଷତିପୂରଣ ରାଶି ଚେକ ମାଧ୍ୟମରେ ପ୍ରଦାନ କରିବେ | ଉଲ୍ଲେଖ ଥାଉ କି ବାଲେଶ୍ବରର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗତକାଲି ବର୍ଷିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର କେବଳ ଅଧିକ କଥା କହୁଛନ୍ତି ବୋଲି ତାଚ୍ଛଲ୍ୟ କରିଥିଲେ ।
କେନ୍ଦ୍ର ସରକାର ବାଲେଶ୍ବର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି। ନିକଟ ଅତୀତରେ ଏହା ହେଉଛି ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୦ ପ୍ରତିଶତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପାଇଁ ଭୁଲ୍‌ ମଧ୍ୟ ମାଗିବାକୁ ପ୍ରସ୍ତୁତ ନୁହନ୍ତି। କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହୋଇଥିବା ଏକ ଟ୍ରେନ୍‌କୁ ୧୦ ମିନିଟ୍‌ ବ୍ୟବଧାନରେ ଅନ୍ୟ ଏକ ଟ୍ରେନ୍‌ ଧକ୍କା ଦେଲା ? ଏକ ବିପର୍ଯ୍ୟୟ ସମୟରେ ସମ‌ସ୍ତେ ମିଳିମିଶି କାର୍ଯ୍ୟ କରିବା କଥା। ମାତ୍ର କେନ୍ଦ୍ର ସରକାର ନିଜ ଦାୟିତ୍ବରୁ ହାତ ଖସେଇଦେବା ସହିତ ନିଜ ତ୍ରୁଟି ବଦଳରେ ଅନ୍ୟ ତ୍ରୁଟି ଦେଖାଇବାରେ ବ୍ୟସ୍ତ। ସେହିପରି ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମମତା କହିଛନ୍ତି ଯେ ସତ ଜାଣିବାର ଆବଶ୍ୟକତା ଅଛି, ସତକୁ ଚପାଇବାର ସମୟ ନୁହେଁ |

Spread the love