‘ଗର୍‌ବା’ ନୃତ୍ୟ ବେଳେ ଝିଅକୁ ଫୋନ୍‌ ନମ୍ବର ମାଗିଥିବା ଯୁବକଙ୍କ ସହିତ ଝଗଡ଼ା କଲାବେଳେ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ଫରିଦାବାଦର ଏକ ‘ରେସିଡେନ୍‌ସିଆଲ୍‌ ସୋସାଇଟି’ରେ ‘ଗର୍‌ବା’ ନୃତ୍ୟ ବେଳେ ଝିଅକୁ ଫୋନ୍‌ ନମ୍ବର ମାଗିଥିବା ଯୁବକଙ୍କ ସହିତ ପାଟିତୁଣ୍ଡ କରିବା ବେଳେ ବାପାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଫରିଦାବାଦର ସେକ୍ଟର୍‌ ୮୭ ଅନ୍ତର୍ଗତ ‘ପ୍ରିନ୍‌ସେସ୍‌ ପାର୍କ ରେସିଡେନ୍‌ସିଆଲ୍‌ ସୋସାଇଟି’ର  ୫୨ ବର୍ଷିୟ ପ୍ରେମ ମେହେଟ୍ଟା ଓ ତାଙ୍କ ପରିବାରବର୍ଗ ସୋମବାର ରାତିରେ ସେମାନଙ୍କ ଆବାସିକ ପରିସରରେ ଆୟୋଜିତ ‘ଗର୍‌ବା’ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ‘ଗର୍‌ବା’ କାର୍ଯ୍ୟକ୍ରମରେ ‘ଦାଣ୍ଡିଆ ନୃତ୍ୟ’ ବ‌େଳେ ସେହି ‘ରେସିଡେନ୍‌ସିଆଲ୍‌ ସୋସାଇଟି’ର ୨ଜଣ ଯୁବକ ଆସି ମେହେଟ୍ଟାଙ୍କ ୨୫ ବର୍ଷୀୟ ଝିଅକୁ ଫୋନ୍‌ ନମ୍ବର ମାଗିବା ସହିତ ତାଙ୍କ ସହିତ ନୃତ୍ୟ କରିବାକୁ କହିଥିଲେ।

ଏହି କଥାକୁ ନେଇ ମେହେଟ୍ଟା ପରିବାର ଓ ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। କାହିଁକି ଝିଅ ପାଖକୁ ଆସିଲ ବୋଲି ମେହେଟ୍ଟା, ତାଙ୍କ ସ୍ତ୍ରୀ ଓ ପୁଅ ୨ ଯୁବକଙ୍କୁ ଘେରିଯାଇ ପଚାରିଥିଲେ। ଘଟଣା ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଯେ, ଦୁଇପକ୍ଷ ପରସ୍ପରର କଲାର୍‌ ଧରି ଠେଲାପେଲା ଲାଗିଛନ୍ତି। ଦୁହେଁ ମେହେଟ୍ଟାଙ୍କୁ ଧକ୍କା ମାରିବାରୁ ସେ ତଳେ ପଡ଼ିଯାଇ ଅଚେତ ହୋଇଗଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କଲେ।ପୁଲିସ ଅଧିକାରୀ ଜମୀଲ୍‌ ଖାଁ କହିଛନ୍ତି, ମେହେଟ୍ଟା ପରିବାର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Spread the love