ସାଙ୍ଗର ଯୌନାଙ୍ଗ କାଟି ଫେରାର ହୋଇଗଲା ସାଙ୍ଗ, କାରଣ ଅସ୍ପଷ୍ଟ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଅଘଟଣ। ସାଙ୍ଗର ଯୌନାଙ୍ଗ କାଟିଲା ସାଙ୍ଗ। ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡିରହିଥିବା ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର କରି ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ଘଟଣାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ ଆଳି ଅଞ୍ଚଳର ଭାଗବତଙ୍କ ବନ୍ଧୁ ଅକ୍ଷୟ ରାଉତ ଆଜି ଦିନ ପ୍ରାୟ 10 ଟା ସମୟରେ ଏକ ଅଟୋଯୋଗେ ଭାଗବତଙ୍କ ପାଖରେ ପହଞ୍ଚି ପେଣ୍ଠ ବେଳାଭୂମି ବୁଲି ଯିବାକୁ ଡ଼ାକିନେଇଥିଲେ। ପେଣ୍ଠରେ ପହଂଚିବା ପରେ ଦୁଇ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇଥିଲେ। ଭାଗବତ ବିଶ୍ରାମ ନେଉଥିବା ସମୟରେ ଅକ୍ଷୟ ପୂର୍ବ ଯୋଜନା ମୁତାବକ ଭୁଜାଲି ସାହାଯ୍ଯରେ ଭାଗବତଙ୍କ ଯୌନାଙ୍ଗକୁ ହାଣି ଫେରାର ହୋଇଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥା ଭାଗବତ ପଡିରହିଥିବାର ଦେଖି ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ରାଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବୀନ ଜାରି ରଖିଛି।

Spread the love