ହତ୍ୟା ଉଦ୍ୟମକାରୀକୁ ୬ ବର୍ଷ ଜେଲ୍‌: ଶୋଇଥିବାବେବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଥିଲା

ରାଉରକେଲା: ଜଣେ ବୃଦ୍ଧ ଶୋଇଥିବାବେଳେ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରିଥିଲା। ଏହି ମାମଲାର ଅଭିଯୁକ୍ତକୁ ଆଜି ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ  ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତଥା ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେନା। ୧୯ ଜଣଙ୍କ ସାକ୍ଷ୍ୟପ୍ରମାଣ, ଦସ୍ତାବିଜ୍‌ ତଥା ଅନ୍ୟାନ୍ୟପ୍ରମାଣକୁ ବିଚାରକରି ମାମଲାର ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ହେଲେ ଦୋଷୀକୁ ଅତିରିକ୍ତ ୪ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ନାୟକ ମାମଲା ପରିଚାଳନା କରିଥିବାବେଳେ ନିରଞ୍ଜନ ମହନ୍ତ ସହଯୋଗ କରିଥିଲେ।

୨୦୧୭ ମସିହା ଏପ୍ରିଲ ୧୬ ତାରିଖ ରାତି ପ୍ରାୟ ୨ଟା। ବିଶ୍ରା ବ୍ଲକ ଅନ୍ତର୍ଗତ ଉଡ଼ୁଶୁ ଗୁରୁଆଟୋଲରେ ଥିବା ନିଜ ଘରେ ଜିତେନ ମୁଣ୍ଡାରୀ(୬୪) ଶୋଇଥିଲେ। ଏତିକିବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ବବୁଲୁ ସମାସୀ(୪୨) ଏକ ଟାଙ୍ଗିଆ ଧରି ସେଠାରେ ପହଞ୍ଚିଥିଲା। ପରେ ଶୟନରତ ଜିତେନଙ୍କୁ ଚୋଟପରେ ଚୋଟ ମାରି ଚାଲିଥିଲା। ତେବେ ଟାଙ୍ଗିଆ ଚୋଟ ବାଜିବାରୁ ଜିତେନ ଚିତ୍କାର କରିଥିଲେ। ଏହା ଶୁଣି ଘର ଭିତରେ ଶୋଇଥିବା ଝିଅ ଫୁଲମଣୀ ବାହାରକୁ ଆସି ଦେଖିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଜିତେନଙ୍କ ନାକ, ମୁହଁ, ମୁଣ୍ଡ, ବେକ ଆଦି ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିଲା। ଗୁରୁତର ଆହତଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଜିତେନଙ୍କ ପୁଅ ବିଜୟ ମୁଣ୍ଡାରୀ ବିଶ୍ରା ଥାନାରେ ଏତଲା ଦେଇଥିଲେ।

Spread the love