ପାହାଳ ରାସ୍ତା ପାଲଟିଛି ମରଣ ଯନ୍ତା, ପୁଣି ନେଲା ଜଣଙ୍କ ମୁଣ୍ଡ

ରାସ୍ତାକଡରେ ଅଟୋ ଟିଏ ଆଉ ତା ଭିତରେ ଜଣେ ମହିଳା ଛାତି ଫଟା କାନ୍ଦ କାନ୍ଦି ଚାଲିଛନ୍ତି । ସତେ ଯେମିତି କାନ୍ଦ ଆଉ ବନ୍ଦ ହେବନି । କେମିତି ବା ବନ୍ଦ ହେବ ସବୁଦିନ ପାଇଁ ସ୍ୱାମୀ ଯେ ଦୁର୍ଘଟଣାରେ ଚାଲିଯାଇଛନ୍ତି ଆରପାରିକୁ । ଆଉ ତାଙ୍କ ଭରଷାରେ ଛାଡ଼ିଦେଇ ଗଲେ ଦୁଇ ଛୁଆ ଙ୍କୁ । ଆଉ ଏପାଖରେ ମାଆ କାନ୍ଦି କାନ୍ଦି ଆଖି ଲୁହ ଶୁଖୁନି। ମାଆ ତାର ଭେଣ୍ଡିଆ ରୋଜଗାରିଆ ପୁଅକୁ ହରାଇଛି ସଡ଼କ ଦୁର୍ଘଟଣାରେ । ଦିନକ ଆଗରୁ ପୁଅ ଯାଇଥିଲା ଗାଁକୁ ଆଉ ଦିନକ ପରେ ପୁଅ ଆଉ ଏଦୁନିଆରେ ନଥିବାର ଖବର ପାଇଲେ ବାପାମା ।

ଏକଥା ଶୁଣି କେମିତି ବା ଧର୍ଯ୍ୟ ଧରି ରହିପାରିଥାନ୍ତେ । ଦୌଡି ଆସିଛନ୍ତି କ୍ୟାପିଟାଲ ହସ୍ପିଟାଲ ପରିସରକୁ । ଆସିକି ଦେଖିଲେ ଦୁର୍ଘଟଣାରେ ସତରେ ଆଖିବୁଜିଦେଇଛି ପୁଅ। ସତରେ ଦଇବ ଦେଇଗଲା ଦୁଇ ଦୁଇଟି ପରିବାର ଆଖିରେ ଲୁହ । ଏମିତି ଅନେକ ପରିବାର ଙ୍କୁ ଆଖିରେ ଲୁହ ଭରି ଦେଇଛି ଏହି ପାହାଳ ରାସ୍ତା । କେତେ କାହାର ପୁଅ, କାହାଠାରୁ ସ୍ୱାମୀ ତ କାହାଠୁ ପୁଣି ଝିଅ ଛଡାଇ ନେଇ ବେସାହାରା କରି କାନ୍ଦିବାକୁ ଛାଡିଦେଇଛି ଅନେକ ପରିବାରଙ୍କୁ । ତେବେ ଆସନ୍ତୁ ଜାଣିବା ଘଟଣା କଣ ।

ଏପରିବାର ରହୁଥିଲେ ପାହାଳ ନିକଟରେ । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଭୁପଦ ଜେନା । ସ୍ତ୍ରୀ ଗାୟତ୍ରୀ ଜେନା ଓ ଗୋଟିଏ ପୁଅ ଓ ଝିଅକୁ ନେଇ ସଂସାର । ଗାଁ ଘରକୁ ଯାଇଥିଲେ ପ୍ରଭୁପଦ। ଫେରିଲା ବେଳେ ଗାଡ଼ିରୁ ଓଲ୍ହାଇ ଚାଲି ଚାଲି ଆସୁଥିଲେ । ହଠାତ ପାହାଳ ରାସ୍ତାରେ କୋୖଣସି ଏକ ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଗଲା । ଆଉ ବ୍ୟବଚ୍ଛେଦ ପରେ ପାରିବାରକୁ ହସ୍ତାନ୍ତର କରାଯାଇଥିଲା।

କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପାରିବାରଙ୍କୁ କ୍ଷତି ପୂରଣ ଦେବ କିଏ ? ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଦୁଇ ସନ୍ତାନର ଜୀବନ ଗଢିବା ଦାୟିତ୍ୱ ନେବ କିଏ ? ପାହାଳ ରାସ୍ତା ରେ ପ୍ରତ୍ୟେକ ଘଟୁଛି ଦୁର୍ଘଟଣା। ଏହି ଛକଟି ଏବେ ପାଲଟିଛି ମରଣ ଯନ୍ତା । ଏଥିପ୍ରତି କାହାର ନିଘା ନାହିଁ । ତେବେ ଏହି ଭଳି ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସ୍ପିଡ ବ୍ରେକର, ବ୍ୟାରିକେଡ ବ୍ୟବସ୍ଥା ପାଇଁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ । ଯାହାଫଳରେ ଦିନକୁ ଦିନ ବଢିଚାଲିଛି ମୃତ୍ୟୁ ସଂଖ୍ଯା । ରୋକିବା ପ୍ରଶାସନ କେବେ ଜାଗିବ ତାକୁ ହିଁ ଅପେକ୍ଷା ।

Spread the love