କୋର୍ଟ ପରିସରରେ ପତ୍ନୀଙ୍କ ଗଳା କାଟିଲେ ସ୍ୱାମୀ

ବେଙ୍ଗାଲୁରୁ: ପତି ପତ୍ନୀଙ୍କ ଝଗଡ଼ା କୋର୍ଟରେ ପଡ଼ିଲା। ଆଉ କୋର୍ଟ ମାମଲାର ଶୁଣାଣି  ପରେ ଦୁହିଁଙ୍କୁ ପୁଣିଥରେ ଏକାଠୀ ହେବାକୁ ନିର୍ଦ୍ଦେଶ ଦେଲେ। କୋର୍ଟଙ୍କ ରାୟ ଶୁଣିବା ପରେ ରାଗି ପାଚି ଲାଲ୍ ହୋଇଗଲେ ସ୍ୱାମୀ। ତୁରନ୍ତ ସେହି କୋର୍ଟ ପରିସରରେ ପତ୍ନୀଙ୍କର ବେକ କାଟିଦେଲା। ସମସ୍ତଙ୍କ ଆଗରେ କୋର୍ଟ ପରିସରରେ ଏଭଳି ଘଟଣା ଦେଖି ସମସ୍ତେ ହତବାକ। କର୍ଣ୍ଣାଟକର ଏକ ଫେମିଲି କୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦମ୍ପତ୍ତି ଛାଡ଼ପତ୍ର ଦାଖଲ କରିବା ପରେ ଫେମିଲି କୋର୍ଟ ସେମାନଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ପଚରାଉଚରା ବେଳେ ହତ୍ୟା ଘଟଣାର କେଇ ମିନିଟ ପୂର୍ବରୁ ଦୁହେଁ ଶିବକୁମାର ଓ ଚିତ୍ରା ପଛ କଥାକୁ ଭୁଲିଯାଇ ପୁଣିଥରେ ସାଙ୍ଗରେ ରହିବେ ବୋଲି କୋର୍ଟଙ୍କୁ କହିଥିଲେ। ତାଙ୍କ ୭ ବର୍ଷର ବିବାହ ଜୀବନକୁ ସୁରକ୍ଷା ଦେବାକୁ ଶପଥ ବି ନେଇଥିଲେ। ହେଲେ ମାତ୍ର ୭ ମିନିଟ୍‌ରୁ ବି କମ୍‌ ସମୟରେ ନ୍ୟାୟ ମନ୍ଦିରରେ ଥାଇ ୭ ଜନମର ସାଥିକୁ ଗଳା କାଟି ହତ୍ୟା କଲେ ଶିବକୁମାର। ଘଟଣାରେ ହସନ ଜିଲ୍ଲା ହୋଲନରସିଂଘପୁରୁ ପରିବାର କୋର୍ଟ ପାଖାପାଖି ଘଣ୍ଟାଏ କାଳ ଉଭୟଙ୍କୁ ଜେରା କରିଥିଲା। ଆଉ ପଚରାଉଚରା ସରିବା ପରେ ଚିତ୍ରା ଯେତେବେଳେ ସୌଚାଳୟ ଯାଇଥିଲେ ଶିବକୁମାର ତାଙ୍କ ପଛେ ପଛେ ଆସି ଏକ ଧାରୁଆ ଭୁଜାଲିରେ ଚିତ୍ରାଙ୍କ ଗଳା କାଟି ଦେଇଥିଲେ।  ଆକ୍ରମଣ ପରେ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ ବି ସେଠାରେ ଛିଡ଼ା ହୋଇଥିବା ଲୋକେ ତାଙ୍କୁ ମାଡ଼ି ବସିଥିଲେ। ଘଟଣା ପରେ ଚିତ୍ରାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ ଘଟିଛି।

ଏହି ଘଟଣାରେ ପୁଲିସ ଶିବକୁମାର ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଭୁଜାଲିକୁ ଜବତ କରି ତଦନ୍ତ ଚଳାଇଛି। ତା ସହ କୋର୍ଟ ପରିସର ଭିତରକୁ ଧାରୁଆ ଅସ୍ତ୍ର କିପରି ଆସିଲା ନା ଶିବକୁମାରଙ୍କୁ ହତ୍ୟା ପାଇଁ କେହି ସହଯୋଗ କରିଥିଲେ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ଅଛି କି ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା ହସନ ଜିଲ୍ଲାର ବରିଷ୍ଠ ପୁଲିସ ଅଫିସର ହରିରାମ ଶଙ୍କର କହିଛନ୍ତି।

Spread the love