ସ୍ତ୍ରୀ ସଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ୍‌ରେ ଫିଙ୍ଗିଦେଲେ ସ୍ବାମୀ

ଆଗ୍ରା: ସ୍ତ୍ରୀ ସଙ୍ଗେ ଝଗଡ଼ା କରି ୩୦ ଫୁଟ୍‌ ଉଚ୍ଚ ପୋଲରୁ କେନାଲ୍‌ ଭିତରକୁ ୪ଜଣ ସନ୍ତାନଙ୍କୁ ଫିଙ୍ଗି ଦେଇଥିବା ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୁଲିସ ଗିରଫ କରିଛି।

କିନ୍ତୁ, କେନାଲରେ ପଡ଼ିଥିବା ୪ଜଣ ପିଲାଙ୍କ ମଧ୍ୟରୁ ତାଙ୍କ ୧୨ ବର୍ଷୀୟ ଝିଅ ପ୍ରଭା ନିଜେ ପହଁରି ଆସିବା ସହିତ ତା’ର ଦୁଇଜଣ ଭାଇଭଉଣୀଙ୍କୁ ଉଦ୍ଧାର କରିଛି। ମାତ୍ର, ସେମାନଙ୍କର ଆଉ ଜଣେ ୫ ବର୍ଷୀୟ ଭଉଣୀ ପ୍ରବାହିତ କେନାଲ ପାଣିରେ ନିଖୋଜ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍‌ପୁର ହୁନ୍ଦାରେ ଉପରୋକ୍ତ ଘଟଣା ଘଟିଛି। ଘରୋଇ କଳି ପରେ ସୋମବାର ଦିନ ଅଭିଯୁକ୍ତ ପୁଷ୍ପେନ୍ଦ୍ର କୁମାର ସ୍ତ୍ରୀକୁ ନଇେ ନିଜ ଗାଁ ଠାରୁ ୧୫ କିଲୋମିଟର୍‌ ଦୂରରେ ଥିବା ଶଶୁର ଘରେ ଛାଡ଼ି ଦେଇ ଆସିଲେ।

ଶଶୁର ଘରୁ ଫେରି କୁମାର ପିଲାମାନଙ୍କୁ କହିଲେ କି, କିଛି ଦୂରରେ ଗୋଟାଏ ମନ୍ଦିର ପାଖରେ ହେଉଥିବା ମେଳାକୁ ସେମାନଙ୍କୁ ବୁଲାଇ ନେବ। ମେଳାକୁ ନେବା ବାଟରେ ପଡୁଥିବା ଗୋଟାଏ କେନାଲ୍‌ ପୋଲ ଉପରେ କୁମାର ଅଟକି ୪ ସନ୍ତାନ- ୧୩ ବର୍ଷିୟ ସୋନୁ, ୧୨ ବର୍ଷୀୟ ପ୍ରଭା, ୮ ବର୍ଷୀୟ କାଜଲ ଏବଂ ୫ ବର୍ଷୀୟ ହେମଲତାଙ୍କୁ ୧୫ ଫୁଟ୍‌ ଗଭୀର କେନାଲ୍‌ ଭିତରକୁ ଫି‌ଙ୍ଗି ଦେଲେ।

Spread the love