ପୁଣି ନ୍ୟୁୟର୍କ-ଦିଲ୍ଲୀ ବିମାନ ଭିତରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି

ନୂଆଦିଲ୍ଲୀ: ଆମେରିକୀୟ ଏୟାରଲାଇନ୍‌ସର ଏକ ବିମାନରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କୁ ବିମାନ ଭିତରେ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ନୂଆଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି।

ଅଭିଯୁକ୍ତ ଭାରତୀୟ ଯାତ୍ରୀଙ୍କୁ ଏୟାରଲାଇନ୍‌ସର କର୍ମଚାରୀମାନେ ଅତ୍ୟଧିକ ମଦ୍ୟପାନ କରିଥିବା ଦର୍ଶାଇ ତାଙ୍କୁ ମଦ୍ୟପାନରୁ ନିବୃତ କରାଉଥିଲେ। ଏହାକୁ ନେଇ ବିମାନ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ବେଳେ ସେ ରାଗି ଯାଇ ତାଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ।
ପ୍ରାୟ ୯ଟା ବେଳେ ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ଆମେରିକୀୟ ଏୟାରଲାଇନ୍‌ସ ବିମାନ ଏଏ ୨୯୨ରେ ଏହି ଅଘଟଣ ଘଟିଥିବା ବେଳେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଉକ୍ତ ଯାତ୍ରୀଙ୍କୁ ଗିରଫ କରଥିଲେ।

ଅବତରଣ ପୂର୍ବରୁ ଏୟାରଲାଇନ୍‌ସ ଦିଲ୍ଲୀ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରାଲ (ଏଟିସି)କୁ ଏ ଘଟଣା ବିଷୟରେ ଜଣାଇଥିଲା ଏବଂ ପରେ ଘଟଣାରେ ସମ୍ପୃକ୍ତ ଉଭୟ ଯାତ୍ରୀଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଏନେଇ ପୀଡ଼ିତ ଯାତ୍ରୀ ଆନୁଷ୍ଠାନିକ ଭାବେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଉଡନ୍ତା ବିମାନ ଭିତରେ ମଦ ପିଇ ଯାତ୍ରୀମାନେ ସହଯାତ୍ରୀଙ୍କ ଉପରରେ ପରିସ୍ରା କରୁଥିବା ନେଇ ଏକାଧିକ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆ ନ୍ୟୁୟର୍କ-ଦିଲ୍ଲୀ ବିମାନର ବିଜିନେସ୍‌ କ୍ଲାସରେ ଯାତ୍ରା କରୁଥିବା ଜଣେ ନିଶାସକ୍ତ ବ୍ୟକ୍ତି ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା।

Spread the love