ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା, ୩୨ ଲକ୍ଷ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଯାଇଛି । ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଗଲା   । ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ମୋ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ  କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ଏବଂ ଆଜିର ଏହି ସହାୟତା ସେମାନଙ୍କ ପରିବାରର ଆର୍ଥିକ ଅସୁବିଧା ଦୂର କରିବାରେ ସାହାଯ୍ୟ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।  ଗରିବ ଲୋକଙ୍କ ପାଇଁ ଏହିପରି ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଗରିବ ଲୋକଙ୍କୁ ରୋଜଗାର ଦେବା  ପାଇଁ  କାମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କୋଭିଡର ଦ୍ଵିତୀୟ ଲହରରେ  ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ  ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ୩୫୨ କୋଟି ଟଙ୍କାର ସହାୟତା ରହିଛି । MGNREGS ରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ ରଖାଯାଇଛି ।  ମୁଖ୍ୟମନ୍ତ୍ରୀ କହିଛଛନ୍ତି  ଗତ ଏକ ବର୍ଷ ଧରି ଆମର କୋଭିଡ ଲଢେଇ ମଧ୍ୟରେ ଲକଡାଉନ ସଟଡାଉନ ଯୋଗୁଁ ଗରିବ ଲୋକଙ୍କ ରୋଜଗାର କମିଛି । ତେଣୁ ଲୋକଙ୍କ ଜୀବିକା ଉପରେ ଧ୍ୟାନ ଦେଇ ରାଜ୍ୟ ସରକାର ଚାଷୀ , ଶ୍ରମିକ , ଦୁଗ୍ଧ ଚାଷୀ , ଉଠା ଦୋକାନୀ ସମସ୍ତଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କରୋନାର ଦ୍ଵିତୀୟ  ଲହର ସମ୍ପୁର୍ଣ୍ଣ ଶେଷ ହୋଇନାହିଁ ବୋଲି ଦୋହରାଇ ସେ ସମସ୍ତଙ୍କୁ ଟୀକା ନେବାକୁ ଓ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଗରିବ  କୃଷକ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ କରିବ ବୋଲି ସେ କହିଛନ୍ତି  ।

  • ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର MGNREGS ଶ୍ରମିକ ମାନେ ଭିଡିଓ କନଫରେନ୍ସିଂ ଯୋଗେ ଯୋଡି ହୋଇଥିଲେ ।  ଗଞ୍ଜାମର ନିକି ଆମ୍ମା ଓ କୈଳାଶ ଗଉଡ  , କୋରାପୁଟର ସୁରେଶ ବାଖିଆ, ତପନ କୁମାର ନାଗ ,  କଳାହାଣ୍ଡିର ସିତି ପୂଜାରୀ ଓ ଗଜ ମାଝି  ଓ ମୟୂରଭଞ୍ଜର ଶିବରାମ ସୋରେନ ଓ ସୁକାନ୍ତି ମୁର୍ମୁ ପ୍ରମୁଖ କେତେ ଜଣ ହିତାଧିକାରୀ ଏହି ସହାୟତା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି।</
Spread the love