ଐତିହ୍ୟ ବାଇ-ଲ ମାମଲା: ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍‌ ଅଫିସର ନୁହେଁ … ଏପରି ଢଙ୍ଗରେ ଅପରାଜିତାଙ୍କୁ ଜବାବ ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ଐତିହ ବାଇ ଲ’ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇଛନ୍ତି ବିଜେଡ଼ି ସାଧାର ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ। ଏକ ପ୍ରେସ୍ ବିବୃତିରେ ଶ୍ରୀ ମଙ୍ଗରାଜ କହିଛନ୍ତି,

୧. ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍‌ ଅଫିସର ନୁହେଁ । ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟ୍‌ରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି Ancient Monuments and Archaeological Sites and Remains Act,1958 (AMSAR Act) section-20 E ଅନୁଯାୟୀ ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।

୨. ମୋର ବକ୍ତବ୍ୟକୁ ଯେଭଳି ଭୁଲ୍‌ ଭାବେ ଦର୍ଶାଯାଇଛି ତାହା ମତେ ବ୍ୟଥିତ କରିଛି । ମୁଁ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲି ଯେ କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ଯାହାକି ବର୍ତ୍ତମାନର ପ୍ରଶ୍ନବାଚୀ ।

୩. ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି । କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ।

୪. ଯେହେତୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର ।

୫. ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି ।

୬. ଶ୍ରୀମତୀ ଷଡଙ୍ଗୀ ଆପଣ ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଯାହା ଜଣାପଡୁଛି ଆପଣ ଆମସର ଆଇନ୍‌କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି । ତେଣୁ ସବୁଠାରୁ ଭଲ ହେବ ଆପଣ ଆମସର ଆଇନ୍‌କୁ ପଢି ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ । Ancient Monuments and Archaeological Sites and Remains Act,1958 (AMSAR Act) section-20 E ଅନୁଯାୟୀ ଐତିହ୍ୟ ବାଇ-ଲ, ଯାହା କି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ? ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡିଶା ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ।

Spread the love