ପ୍ୟାକ୍ସ ଓ ଲ୍ୟାମ୍ପସ୍ କର୍ମଚାରୀଙ୍କ ଧର୍ମଘଟ, ମଣ୍ଡିରେ ସାଙ୍ଘାତିକ ସ୍ଥିତି : ଧାନ ସଂଗ୍ରହରେ ବିଭ୍ରାଟ

ଝାରସୁଗୁଡା, ୧୯|୧୨ : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଆରମ୍ଭରୁ ବିଭ୍ରାଟ ଦେଖାଦେଇଛି। ପ୍ୟାକ୍ସ/ଲ୍ୟାମ୍ପସ୍ କର୍ମଚାରୀମାନେ ଧର୍ମଘଟ ଚଳାଇଥିବାରୁ ମଣ୍ଡିଗୁଡ଼ିକରେ ସାଂଘାତିକ ସ୍ଥିତି ଦେଖାଦେଇଛି। ଏପଟେ ସରକାର ଟୋକନ୍ ଇସ୍ୟୁ କରୁଥିଲାବେଳେ ସେପଟେ ଧାନ କିଣିବାକୁ ମଣ୍ଡିରେ କର୍ମଚାରୀ ନାହାନ୍ତି। ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହରେ ନିୟୋଜିତ କରିବା ପାଇଁ  ନିର୍ଦ୍ଦେଶ ଜାରିକରି ଯୋଗାଣ ବିଭାଗ ଦାୟିତ୍ବ ସାରିଦେଇଛି। ଫଳରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା ଏବେ ଚାଷୀଙ୍କୁ କନ୍ଦାଇବା ଆରମ୍ଭ କଲାଣି।

ଚଳିତ ବର୍ଷ ଧାନ କିଣାରେ ବ୍ୟାପକ ଅଚଳାବସ୍ଥାର ଚିତ୍ର ସାମ୍ନାକୁ ଆସୁଛି ।ଝାରସୁଗୁଡାରୁ ବୌଦ୍ଧ, ବାଲେଶ୍ବରରୁ ସୁନ୍ଦରଗ,. ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏମିତି ଅବ୍ୟବସ୍ଥାର ଖବର ଆସୁଛି।  ଯୋଗାଣ ବିଭାଗର ଦସ୍ତାବିଜ…ଡିଏସପିଲି ନିଷ୍ପତ୍ତି ଅନୁସାରେ ଆଜି ସୁଦ୍ଧା ୧୮ଟି ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବା କଥା, କିନ୍ତୁ କେବଳ ୧୨ ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ଅନେକ ଜିଲ୍ଲାରେ ଅବ୍ୟବସ୍ଥାର ଚିତ୍ର ଯୋଗାଣ ବିଭାଗର ତଥ୍ୟରୁ ସ୍ପଷ୍ଟ ଜଣା ପଡୁଛି । ଝାରସୁଗୁଡା ଜିଲ୍ଲାରେ ୧୬ ତାରିଖରେ ଧାନ କିଣା ଯିବା କଥା କିନ୍ତୁ ମଣ୍ଡି ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲିନି ।ସେହିଭଳି ବାଲେଶ୍ଵରରେ ମାତ୍ର ୨ ଜଣ ,ସୁନ୍ଦରଗଡ ରେ ୩ ଜଣ, କୋରାପୁଟ ୧୬ ଜଣ,ମାଲକାନଗିରିରେ ୩୦ ଏବଂ ବୌଦ୍ଧ ଜିଲ୍ଲାରେ ମାତ୍ର ୫୩ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।

ଅନ୍ୟପଟେ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ହୀରାକୁଦ କମାଣ୍ଡ ଅଞ୍ଚଳ ସମ୍ବଲପୁର, ବରଗଡ଼, ସୋନପୁର ସମେତ  କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ଚଳିତ ବର୍ଷ ଖରିଫରେ  ୧୫ ଲକ୍ଷ ୭୪ ହଜାର ଚାଷୀ ଧାନ ବିକିବା ପାଇଁ ପଞ୍ଜିକୃତ କରିଥିବା ବେଳେ ଗତକାଲି ସୁଦ୍ଧା ୧୨ଟି ଜିଲ୍ଲାର  ମାତ୍ର ୮୧ ହଜାର ୮୩୪ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବା ବେଳେ ଚାଷୀଙ୍କୁ ଆଶ୍ବାସନା ଦେବା ପାଇଁ ସରକାରୀ ସ୍ତରରେ ଆଦୌ ତତ୍ପରତା ପ୍ରକାଶ ପାଉ ନାହି।  କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ମଣ୍ଡିରେ ଭୀଷଣ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନଙ୍କ ପାଖକୁ ଟୋକନ୍ ଯାଉଛି। ସେମାନେ ଧାନ ଆଣି ମଣ୍ଡିରେ ପହଞ୍ଚୁଛନ୍ତି। କିନ୍ତୁ ସେଠାରେ ଧାନ କିଣିବାକୁ କେହି ନାହାନ୍ତି। ଫଳରେ ମଣ୍ଡିରେ ଧାନକୁ ଜଗି ଚାଷୀ ବାଧ୍ୟ ହୋଇ ବସିରହୁଛି। କେବେ ତାର ଧାନ କିଣାଯିବ, ତାହାର ଉତ୍ତର କାହା ପାଖରେ ନାହିଁ। ଧାନ ସଂଗ୍ରହ କାର୍ଯ୍ୟରେ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି। ଧାନ ସଂଗ୍ରହ ଏକ ସମୟଭିତ୍ତିକ କାର୍ଯ୍ୟ ହୋଇଥିଲା ବେଳେ କମ୍ ସମୟ ମଧ୍ୟରେ ଏସ୍ଏଚ୍‌ଜିମାନଙ୍କୁ ତାଲିମ୍ ଦେଇ ଧାନ ସଂଗ୍ରହ କରାଯିବା, କେତେଦୂର ବାସ୍ତବବାଦୀ ତାହା ଚାଷୀମାନେ ବୁଝିପାରୁ ନାହାନ୍ତି। ବିଭାଗୀୟ ଅଧିକାରୀମାନେ ରାଜଧାନୀରେ ବସି ମନଇଚ୍ଛା ନିଷ୍ପତ୍ତି ନେଉଥିଲା ବେଳେ ତୃଣମୂଳ ସ୍ତରରେ ତାହାର କାର୍ଯ୍ୟକାରିତାକୁ ଆଦୌ ଚିନ୍ତା କରୁ ନାହାନ୍ତି।

ନଭେମ୍ବର ୧୪ ତାରିଖରୁ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ୧୭୦୮ ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀମାନେ ୫ ଦଫା ଦାବି ନେଇ ଆନ୍ଦେଳନ ଚଳାଇଛନ୍ତି। ମାସେ ହେଲାଣି ସେମାନଙ୍କ ଆନ୍ଦୋଳନ ଚାଲିଛି। ଧାନ ସଂଗ୍ରହରେ ଏହି କର୍ମଚାରୀମାନଙ୍କର ହିଁ ସବୁଠାରୁ ବଡ଼ ଭୂମିକା ଥାଏ ବୋଲି ଯୋଗାଣ ବିଭାଗ ଭଲ ଭାବେ ଅବଗତ ଅଛି। ମଣ୍ଡିରେ ଚାଷୀ ଯେପରି ଅସୁବିଧା ନ ଭୋଗିବେ, ସେଥିପାଇଁ କୌଣସି ବାଟ ବାହାର କରାଗଲା ନାହିଁ। ବିନା ବ୍ୟବସ୍ଥାରେ ଟୋକନ୍ ଇସ୍ୟୁ ହେଲା ଓ ମଣ୍ଡି ଖୋଲିଦିଆଗଲା।  ।

Spread the love