ପଞ୍ଜାବକୁ ଦରକାର ନାହିଁ ଏପରି ମୁଖ୍ୟମନ୍ତ୍ରୀ…ଚନ୍ନୀଙ୍କୁ ପୁଣି ନିଶାନା କଲେ ମନୀଷ ତିୱାରୀ

ଚଣ୍ଡିଗଡ, ୧୨/୦୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ବଢିବାରେ ଲାଗିଛି କଂଗ୍ରେସର କନ୍ଦଳ । ରାଜ୍ୟରେ ଶାସନରେ ଥିବା କଂଗ୍ରେସ ବିରୋଧୀଙ୍କ ସହ ମୁକାବିଲା କରୁଛି ନାଁ ନିଜ ଭିତରେ ସଂଘର୍ଷ କରୁଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦଳୀୟ ନେତାଙ୍କ ବିବାଦୀୟ ବୟାନ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କୁ ଖୁଲମଖୁଲ୍ଲା ସମାଲୋଚନା କରିବା ଦଳ ପାଇଁ ଆସନ୍ତା ନିର୍ବାଚନରେ ଘାତକ ହୋଇପାରେ । ଏହାରି ଭିତରେ ବୁଧବାର ପୁଣି ଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ନିଶାନା କରିଛନ୍ତି । ମନୀଷ ତିୱାରୀ ଟ୍ୱିଟ କରି ପରୋକ୍ଷରେ ଚନ୍ନୀ ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ।

ମନୀଷ ତିୱାରୀ ଟ୍ୱିଟ୍ କରି କହିଛନ୍ତି, ‘ପଞ୍ଜାବକୁ ଏପରି ଜଣେ ମୁଖ୍ୟମନ୍ତ୍ରୀ ଦରକାର, ଯିଏ ରାଜ୍ୟର ଅସୁବିଧାର ସମାଧାନ କରିପାରିବ। କଠୋର ନିଷ୍ପତ୍ତି ନେବାର କ୍ଷମତା ଥିବ’। ଏହାସହ ତିୱାରୀ ଲେଖିଛନ୍ତି, ‘ପଞ୍ଜାବକୁ ଦାୟିତ୍ୱବାନ ଲୋକଙ୍କ ଆବଶ୍ୟକତା ରହିଛି, ଯାହାର ରାଜନୀତି ମନୋରଞ୍ଜନ ଏବଂ ମାଗଣ ସାମଗ୍ରୀ ବଣ୍ଟନରେ କେନ୍ଦ୍ରୀଭୂତ ନଥିବ’।

ମନୀଷ ତିୱାରୀ ନିଜର ଟ୍ୱିଟରେ ଗୋଟିଏ ଖବରର ଲିଙ୍କ ସେୟାର କରିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିଜର ଲୋକପ୍ରିୟତା ଏବଂ ଦଳର ଶୀର୍ଷ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାଁ ଘୋଷଣ କରନ୍ତୁ ବୋଲି ଇଙ୍ଗିତ କରିଛନ୍ତି । କଂଗ୍ରେସ ସାଂସଦଙ୍କ ଏହି ଟ୍ୱିଟ ପୁଣି ଥରେ କଂଗ୍ରେସରେ ଚାଲିଥିବା ଦଳୀୟ କନ୍ଦଳକୁ ଉଜାଗର କରିଛି ।

Spread the love