ଘରୁ ଟାଣିନେଇ ହତ୍ୟାକଲେ ମାଓବାଦୀ, ଗାଁରେ ଭୟର ବାତାବରଣ

କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ ।  କନ୍ଧମାଳ ଜିଲ୍ଲା  ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।  ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ରେବିଙ୍ଗିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଗୁଳିକାଣ୍ଡ କରି  ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ପକାଇ ଦେଇ ଫେରାର ହୋଇଯାଇଥିଲେ।

ଦୀର୍ଘ ଏକ ବର୍ଷ ହେବ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶ୍ବଶୂର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ପ୍ରାୟ 10 ଜଣ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ତାଙ୍କୁ ଘରୁ ଡାକିଥିଲେ ହେଲେ ଭୟରେ ରଞ୍ଜନ ଓ ପରିବାର ନବାହାରିବା ପରେ ମାଓବାଦୀ ଘର ଭାଙ୍ଗି ଭିତରେ ପଶିଥିଲେ।ମାଓବାଦୀ ରଞ୍ଜନକୁ ଘରୁ ଘୋଷାଡି ଘୋଷାଡି ନେଇ ସ୍କୁଲ ନିକଟରେ ପକାଇ ଗୁଳିକରି ହତ୍ୟା କରିଥିଲେ I

Spread the love