ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ତରଫରୁ ଲାଗିଛି ୫ଟି ମାଓ ବିରୋଧୀ ପୋଷ୍ଟର୍

ନିୟମଗିରି ପାହାଡ଼ରେ ଆଜି ସକାଳୁ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ପାରସାଲିର ଦୁଇଟି ସ୍ଥାନରେ ଏପରି ୫ଟି ପୋଷ୍ଟର ଲାଗିଛି। ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ତରଫରୁ ଏହି ପୋଷ୍ଟର୍ ମରାଯାଇଥିବା ସେଥିରେ ଉଲ୍ଲେଖ ରହିଛି । ରାସ୍ତା କାମକୁ ବିରୋଧ କରି ମାଓବାଦୀ ଗାଡ଼ି ପୋଡ଼ି ଦେଇଥିବା ଘଟଣାକୁ ନିନ୍ଦା କରିଛି ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ। ଏହି ପୋଷ୍ଟରରେ ଯେଉଁସବୁ କଥା ଉଲ୍ଲେଖ ହୋଇଛି, ତାହା ହେଲା, ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଚେଷ୍ଟା କରୁଥିବା ଯୁବକଙ୍କୁ ମୃତ୍ୟୁ ଧମକ ଦେବା କେବେ ବନ୍ଦ ହେବ, ରାସ୍ତା ନିର୍ମାଣରେ ନିୟୋଜିତ ଗାଡ଼ିକୁ ପୋଡ଼ିବାକୁ ମାଓବାଦୀଙ୍କୁ କିଏ କହିଛନ୍ତି, ନିୟମଗିରି ସୁରକ୍ଷା ସମିତି କାହିଁକି ଏହାକୁ ବିରୋଧ କରୁନାହିଁ ଓ କ’ଣ ନିୟମଗିରି ସୁରକ୍ଷା ସମିତି ନକ୍ସଲଙ୍କୁ ସମର୍ଥନ କରୁଛି କି । ନିୟମଗିରି ସୁରକ୍ଷା ମଞ୍ଚ ନାଆଁରେ ଆଉ କେତେ ଦିନ ନିରୀହ ଡଙ୍ଗରିଆମାନଙ୍କର ଶୋଷଣ କରାଯାଉଥିବ ବୋଲି ବି ପ୍ରଶ୍ନ କରାଯାଇଛି। ଏହା କେବେ ବନ୍ଦ ହେବ ବୋଲି ଜବାବ୍ ମଗାଯାଇଛି ଏହି ପୋଷ୍ଟରରେ। ଏହି ପଛୁଆ ଅଞ୍ଚଳର ବିକାଶ ପାଇଁ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚକୁ ସହଯୋଗ କରିବାକୁ ଏହି ପୋଷ୍ଟରରେ ନିବେଦନ ବି କରାଯାଇଛି।

Spread the love