ଘୁନସରରେ ମାଓ ପୋଷ୍ଟର, ‘୯୦ ଦିନ ଭିତରେ ପ୍ରଜାକୋର୍ଟରେ ପଞ୍ଚୁ ସାହୁକୁ ଦିଆଯିବ ମୃତ୍ୟୁଦଣ୍ଡ’

ପାଟଣାଗଡ଼, ୦୫/୦୮: ଦୀର୍ଘଦିନ ନୀରବତା ପରେ ଲଲବାହିନୀ ନିଜର ଉପସ୍ଥିତି ଜାହିର କରିବା ସହ ଖପ୍ରାଖୋଲ ଅଞ୍ଚଳରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ଓ କୁରୁଲୁ ମାଲ ଛକ ନିକଟରେ ନାଲି ଅକ୍ଷରରେ ହାତ ଲେଖା ପୋଷ୍ଟର ଲାଗିଥିବା ଗୁରୁବାର ସକାଳୁ ଦେଖିବାକୁ ମିଳିଥିଲା । ପୋଷ୍ଟେର ରେ ଓଡ଼ିଆ ଭାଷାରେ ଲେଖାଥିବାବେଳେ ଉପରେ ଲାଲ ସଲାମ ଲେଖା ରହିଛି।

ଏହି ପୋଷ୍ଟରରେ ପୋଲିସ ହେପାଜତରେ ଥିବା ଆଇଟୁ ଆମ ଲୋକ ନୁହେଁ ବୋଲି ଲେଖା ରହିଥିବା ବେଳେ ପାଟଣାଗଡ଼ ବିଧାୟକଙ୍କ ପ୍ରତିନିଧି ପଞ୍ଚୁଦେବ ସାହୁ ବିଧାୟକଙ୍କ ନାମରେ ଧମକ ଚମକ ଦେଇ ଶୋଷଣ କରୁଛନ୍ତି । ମହିଳା ମାନଙ୍କୁ ମଧ୍ୟ ଶୋଷଣ କରୁଛନ୍ତି । ବିଧାୟକଙ୍କ ନାମରେ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି ବୋଲି ଉଲ୍ଲେଖ ଥିବାବେଳେ ପ୍ରଜା କୋର୍ଟରେ ୯୦ ଦିନ ଭିତରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଲେଖା ରହିଛି।

ପୋଷ୍ଟର ତଳେ ବଲାଙ୍ଗିର ବରଗଡ଼ ମାଓବାଦୀ ଡିଭିଜନ ବୋଲି ଲେଖା ରହିଛି। ପୋଷ୍ଟର ଲାଗିଲା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।  ଖପ୍ରାଖୋଲ ପୋଲିସ ଖବର ପାଇ ପୋଷ୍ଟର ଲଗାଯାଇଥିବା ସ୍ଥାନ ଗୁଡିକରେ ପହଞ୍ଚି ପୋଷ୍ଟର କାଢି ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଉପରେ ପୋଲିସ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

Spread the love