ମାର୍କେଟ୍‌ ବିଲ୍ଡିଂ ବିବାଦ, ସମୟ ନେଲା ବିଏମ୍‌ସି

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂକୁ ନେଇ ବିବାଦ ଥମୁ ନାହିଁ। ୧୦ ଦିନ ଧରି ବନ୍ଦ ରହିବା ପରେ ଆଜି ବିଏମ୍‌ସି ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନର କୋର୍‌ କମିଟି ଆଲୋଚନା କରିଛି। କମିସନର ବିଜୟ ଅମୃତା କୁଲାଙ୍ଗେ ମାର୍କେଟ୍‌ ବିଲ୍ଡିଂ ଖୋଲିବା ପାଇଁ କମିଟିକୁ ଅନୁରୋଧ କରିବା ସହ ୩ରୁ ୪ ଦିନ ସମୟ ମାଗିଛନ୍ତି। କିନ୍ତୁ ମାର୍କେଟ୍‌ ବିଲ୍ଡିଂର ଉଭୟ ଫାଟକ ମଝିରେ ଥିବା ଜାଗାରୁ ଉଚ୍ଛେଦ କରି ରକ୍ଷଣାବେକ୍ଷଣ କରିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ସଂଘକୁ ଲିଖିତ ଭାବେ ଦାୟିତ୍ବ ନ ଦେଲେ ମାର୍କେଟ୍‌ ବିଲ୍ଡିଂ ଖୋଲିବ ନାହିଁ ‌ସଂଘ ସ୍ପଷ୍ଟ କରିଛି।
କୋର୍‌ କମିଟିରେ ଇନ୍ଦ୍ରଧନୁ ମାର୍କେଟ୍‌ ବ୍ୟବସାୟୀ ସଂଘର ପ୍ରଦୀପ ସାହୁ, ୟୁନିଟ୍‌-୧ ହାଟରୁ ବ୍ରଜ ନରେନ୍ଦ୍ର ଓ ଗୟାଧର ସ୍ବାଇଁ, ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନର ଶିଶିର ପଣ୍ଡା ଓ ରଣଜିତ ମହାନ୍ତି କମିସନରଙ୍କ ସହ ଆଲୋଚନା କରିଥିଲେ। ୨୦୧୦ ମସିହାରେ ବିଏମ୍‌ସି ସହ ଏହି ସଂଘର ଏକ ଚୁକ୍ତି ହୋଇଥିଲା। ବିଏମ୍‌ସି ଓ ସଂଘ ମିଳିତ ଉନ୍ନତୀକରଣ କରିଥିଲେ। ୧୦ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନକୁ ଦିଆଯାଇଥିଲା। ୨୦୨୦ ମସିହାରେ ଏହି ଚୁକ୍ତି ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ନେଇ ବିଏମ୍‌ସି ଚୁକ୍ତିର ନବୀକରଣ କରିନଥିଲା। ଏଣୁ ଏହାର ସୁଯୋଗ ନେଇ ଉଠାଦୋକାନୀ କବ୍‌ଜା କଲେ। ଏବେ ପରିସ୍ଥିତି ସାଂଘାତିକ ହୋଇଗଲା ବୋଲି କୋର୍‌ କମିଟି କମିସନରଙ୍କୁ ସମ୍ପୃକ୍ତ ଚୁକ୍ତିପତ୍ର ଦେଖାଇଥିଲା। ଏ ବିଷୟରେ କମିସନର ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଏଣୁ ଏହା ଉପରେ ବିଚାର କରିବା ପାଇଁ ବା ଜବରଦଖଲ ଉଚ୍ଛେଦ କରି ଆଉ ଥରେ ମାର୍କେଟ୍‌ ସଂଘକୁ ଦାୟିତ୍ବ ଦେବାପାଇଁ ସେ କହିଛନ୍ତି। କିନ୍ତୁ ୩ରୁ ୪ ଦିନ ସମୟ ମାଗିଛନ୍ତି। ଏଣୁ ମାର୍କେଟ୍‌ ବିଲ୍ଡିଂ ୩ରୁ ୪ ଦିନ ଯାଏଁ ନ ଖୋଲିବା ଆଶଙ୍କା ରହିଛି। କିନ୍ତୁ ବିଏମ୍‌ସି ସକରାତ୍ମକ ଢଙ୍ଗରେ ଆଲୋଚନା କରିବା ସହ ପ୍ରତିଶ୍ରୁତି ଦେଇଥିବାରୁ ସାରା ଭୁବନେଶ୍ବରର ମାର୍କେଟ୍‌ ବନ୍ଦ କରିବା ନିଷ୍ପତ୍ତି ସ୍ଥଗିତ ରହିଛି।

ଅନ୍ୟପଟେ ପୂର୍ବରୁ ବିଏମ୍‌ସି ସର୍ଭେ କରି ପାଖାପାଖି ୮୦ ଜଣଙ୍କୁ ଷ୍ଟ୍ରିଟ୍‌ ଭେଣ୍ଡର ଭାବରେ ସ୍ବୀକୃତି ଦେବା ସହ ଥଇଥାନ ନ ହେବା ପର୍ଯ୍ୟନ୍ତ ଏଠାରେ ବସି ବ୍ୟବସାୟ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଏବେ ଉଚ୍ଛେଦ କରିବାକୁ ବସିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମର୍ମରେ ସେମାନେ ବିଏମ୍‌ସିକୁ ଆଜି ଚିଠି ଲେଖିଛନ୍ତି। ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରିବାକୁ ସେମାନେ ଚିଠିରେ ଅନୁରୋଧ କରିଛନ୍ତି।

Spread the love