ବଦଳିଲା ମାଟ୍ରିକ ପରୀକ୍ଷା ସମୟ

ଭୁବନେଶ୍ବର:ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ପାଇଁ ବଦଳିଲା ମାଟ୍ରିକ ପରୀକ୍ଷା ସମୟ କିନ୍ତୁ ରେଗୁଲାର ପିଲାଙ୍କ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବେଳେ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି । ସେକେଣ୍ଡ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାକୁ ଫାଷ୍ଟ ସିଟିଂକୁ ପରିବର୍ତ୍ତନ କରାଯାଇଛି । ଫଳରେ ମେ’ ୭ ତାରିଖରେ ସରିବାକୁ ଥିବା ମାଟ୍ରିକ ପରୀକ୍ଷା ମେ’ ୧୦ ତାରିଖରେ ଶେଷ ହେବ ।

ମଧ୍ୟମାର ଦୁଇଟି ଓ ଓପନ ସ୍କୁଲର ୩ଟି ପରୀକ୍ଷା ସମୟ ବଦଳା ଯାଇଥିବା ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମାର ଦୁଇଟି ପରୀକ୍ଷା ସାମାଜିକ ବିଜ୍ଞାନ ଓ ଇଂରାଜୀ ମେ ୯ ଓ ୧୦ ତାରିଖରେ କରାଯିବ । ଓପନ ସ୍କୁଲର ୩ଟି ପରୀକ୍ଷାର ସମୟ ବଦଳାଯାଇଛି । ମେ ୮ ତାରିଖରେ ହୋମସାଇନ୍ସ ପ୍ରାକ୍ଟିକାଲ ଓ ମେ ୯ ତାରିଖରେ ହୋମସାଇନ୍ସ ଥିଓରୀ ପରୀକ୍ଷା ହେବ । ୧୦ ମେ’ରେ ପେଣ୍ଟିଂ ଥିଓରୀ ପରୀକ୍ଷା କରାଯିବ । ଖରାକୁ ଦୃଷ୍ଟିରେ ରଖି  ଅନବରତ ପାନୀୟଜଳ ବ୍ୟବସ୍ଥା ସହ ଓଆରଏସ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ପରୀକ୍ଷା କେନ୍ଦ୍ରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଦ୍ୟୁତ୍ କାଟ୍ କରାନଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରୀକ୍ଷା କେନ୍ଦ୍ରଗୁଡିକ ତରଫରୁ ସ୍ଥାନୀନ ବିଦ୍ୟୁତ ବିଭାଗ ସହ ଆଲୋଚନା କରି ବିଦ୍ୟୁତ୍ କାଟ ନହେବା ପାଇଁ ବ୍ୟବସ୍ଥା କରିବେ । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ପିଲାଙ୍କ ଉପସ୍ଥିତି, ଅନୁପସ୍ଥିତି, ମାଲ ପ୍ରାକ୍ଟିସ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଥିଲେ ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ଅନଲାଇନରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ପରୀକ୍ଷା ସମୟରେ ମୋବାଇଲ ରହିବ ନାହିଁ । ସୁପରିଟାଣ୍ଡେଣ୍ଟ ମଧ୍ୟ ସବୁ ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ବୋର୍ଡ ସହ ହେଉ କି ଜିଲ୍ଲା ଶିକ୍ଷା ଅଧିକାରୀ ଅଥବା ପୋଲିସ ସହ ହେଉ, ଆବଶ୍ୟକ ହେଲେ କେବଳ ମୋବାଇଲ ବ୍ୟବହାର କରିପାରିବେ। ଏମିତି କି ବୋର୍ଡର ସ୍କ୍ବାଡ ଗଲେ ବି ସେମାନେ ପରୀକ୍ଷା ହଲ୍ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେନି । ସୁପରିଟେଣ୍ଡେଣ୍ଟଙ୍କ ପାଖରେ ମୋବାଇଲ ରଖି ସ୍କ୍ବାଡ ହଲକୁ ଯାଇ ପରିଦର୍ଶନ କରିବେ । ଯାହା ପାଖରୁ ମୋବାଇଲ ମିଳିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ୩ ହଜାର ୫୪୦ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩୧୫ଟି ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର ରଖାଯାଇଛି । ପରୀକ୍ଷା ଦିନ ସକାଳୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ଚତୁଃସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ୩୦ ଜିଲ୍ଲା ପାଇଁ ୬୫ଟି ଫ୍ଲାଇଂ ସ୍କ୍ବାଡ ନିଯୁକ୍ତ କରାଯାଇ ଥିବା  ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love