FY୨୨ରେ ରେଲୱ ଜରିଆରେ ୨.୩୩ ଲକ୍ଷ କାର ଟ୍ରାନ୍ସପୋର୍ଟ କରିଛି ମାରୁତି ସୁଜୁକି, ୧୭.୪ କୋଟି ଲିଟର ତେଲ ହୋଇଛି ସଂଚୟ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ କାର କମ୍ପାନି ମାରୁତି ସୁଜୁକି ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ଶିପିଂରେ ରେକର୍ଡ ସୃଷ୍ଟି କରିଛି । କମ୍ପାନି ଗତ ଆର୍ଥିକ ବର୍ଷରେ ରେଲୱେ ଜରିଆରେ ୨.୩୩ ଲକ୍ଷ କାର ସ୍ଥାନାନ୍ତର କରିଛି । ଏହା ଯେକୌଣସି ଆର୍ଥିକ ବର୍ଷରେ ସର୍ବାଧିକ । କମ୍ପାନି ଆଠ ବର୍ଷ ପୂର୍ବେ ରେଲୱେ ଜରିଆରେ ଦେଶର ବିଭିନ୍ନ ସ୍ଥାନକୁ କାର ପଠାଇବା ଆରମ୍ଭ କରିଥିଲା। ଏହି ଆଠ ବର୍ଷରେ କମ୍ପାନି ୧୧ ଲକ୍ଷ କାର ରେଲୱେ ଜରିଆରେ ଅନ୍ୟ ସ୍ଥାନକୁ ପଠାଇଛି ।

ଗତ ଆର୍ଥିକ ବର୍ଷରେ ଶିପିଂ ବାର୍ଷିକ ଆଧାରରେ ୨୩ ପ୍ରତିଶତ ଅଧିକ ରହିଥିଲା । ରେଲୱେ ଜରିଆରେ କାର ଟ୍ରାନ୍ସପୋର୍ଟ କରିବା ଦ୍ୱାରା ୪,୮୦୦ ମେଟ୍ରିକ୍ ଟନ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କମ କରିବାରେ ସହାୟକ ହୋଇଛି। ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୧୭.୪ କୋଟି ଲିଟର ତେଲ ସଂଚୟ ହୋଇଛି। ମାରୁତି ସୁଜୁକିର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାହୁଲ ଭାରତୀ କହିଛନ୍ତି, ରେଲୱେ ଜରିଆରେ କାର ଟ୍ରାନ୍ସପୋର୍ଟ କରିବା ଦ୍ୱାରା କାର୍ବନ ନିର୍ଗମନ ହ୍ରାସ କରିବାରେ ସହାୟକ ହୋଇଛି।

ଭାରତୀ କହିଛନ୍ତି କମ୍ପାନି ଲଗାତାର ରେଲୱେ ଜରିଆରେ କାର ସ୍ଥାନାନ୍ତରକୁ ବଢାଉଛି । ମାରୁତି ସୁଜୁକି ୨୦୧୪-୧୫ରେ ରେଲୱେ ଜରିଆରେ ୬୬,୦୦୦ କାର ଦେଶର ବିଭିନ୍ନ ସ୍ଥାନକୁ ପଠାଇଥିଲା । ୨୦୨୧-୨୨ରେ ଏହା ବଢି ୨.୩୩ ଲକ୍ଷ ୟୁନିଟ ହୋଇଛି। ବର୍ତ୍ତମାନ ସମୟରେ କମ୍ପାନି ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିବା ଗାଡିର ୧୫ ପ୍ରତିଶତ ରେଲୱେ ଜରିଆରେ ପଠାଉଛି ।

Spread the love