‌ଭୁବନେଶ୍ବରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଏଠାକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ। କରୋନା ସଂକ୍ରମଣ ବଢ଼ିବାରୁ ବିଏମ୍‌ସି କଟକଣା ବଢ଼ାଇଦେଇଛି। ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ନିର୍ଦ୍ଦେଶ ହୋଇଛି। ସପିଂ ମଲ୍‌, ଦୋକାନ ଓ ବଜାରରେ ମଧ୍ୟ ମାଲିକମାନେ ଏହାରି ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେବେ। ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ କରୋନା କଟକଣାକୁ ଗୁରୁତର ସହିତ ନିଆଯିବ। ସେହିପରି ବାହାରେ ଛେପ ପକାଇବା ନେଇ ମଧ୍ୟ ବିଏମ୍‌ସି କଟକଣା ଜାରି କରିଛି। ନିୟମିତ ହାତ ଧୋଇବାକୁ ନେଇ ମଧ୍ୟ ପରାମର୍ଶ ହୋଇଛି।ସୂଚନାଯୋଗ୍ୟ, ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଆଜି ମୋଟ ୬୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ଲୋକଙ୍କ ଦ୍ବାରା ସଂକ୍ରମିତ ହୋଇଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। ଭୁବନେଶ୍ବରରେ ୧ ଲକ୍ଷ ୫୭ ହଜାର ୨୫୧ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧ ଲକ୍ଷ ୫୫ ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୧୯୩ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Spread the love