କାମ୍ବୋଡିଆ ହୋଟେଲ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ହାନୋଇ : ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆର ଏକ ହୋଟେଲରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।  ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି, କାରଣ ଏବେ ବି ଅନେକ ରୁମରେ ଉଦ୍ଧାରକାରୀ ଦଳ ପହଞ୍ଚିପାରିନାହାନ୍ତି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡ ସୀମା ନିକଟରେ ଥିବା କାମ୍ବୋଡିଆ ସହର ପୋଇପେଟରେ ଏହି ହୋଟେଲ- ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ ଏଣ୍ଡ କ୍ୟାସିନୋ ଅବସ୍ଥିତ । ସୀମାରେ ଥିବାରୁ ହୋଟେଲରେ ଥିବା ଅତିଥିମାନଙ୍କ ମଧ୍ୟରୁ ଅଧିକାଂଶ ଥାଇଲାଣ୍ଡରେ ଥିବା ଜଣାଯାଇଛି । ସେମାନଙ୍କୁ ଉଦ୍ଧାର କରିବାକୁ ଥାଇଲାଣ୍ଡର ଦମକଳ ବାହିନୀ ନିଆଁ ଲିଭାଇବାକୁ ପହଞ୍ଚିଥିଲେ ।

ମାତ୍ର ଦମକଳ ଗାଡ଼ି ଗୁଡ଼ିକ ପହଞ୍ଚିବା ବେଳକୁ  ନିଆଁ ଦ୍ରୁତ ଗତିରେ ସମଗ୍ର ହୋଟେଲକୁ ନିଜ କବଳକୁ ନେଇ ସାରିଥିଲା । ଲିପ୍ଟ ବନ୍ଦ ହୋଇଯାଇଥିବାରୁ ହୋଟେଲରେ ଥିବା ଲୋକମାନେ ବିକଳରେ ନିଜ ନିଜ ରୁମର ଝରକା ବାଟ ଦେଇ ତଳକୁ ଡେଉଁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକମାନେ ୫-୭ ମହଲା  ଉପରୁ ଡେଇଁବା ଫଳରେ ମୃତାହତ ହୋଇଥିବା ଜଣାଯାଇଛି । ହୋଟେଲଟି ପ୍ରାୟ ୧୫ ମହଲା ଉଚ୍ଚ ହୋଇଥିବାବେଳେ ସବୁ ଲୋକ ତଳକୁ ଓହ୍ଲାଇ ପାରିନଥିଲେ । ଅନେକ ଲୋକ ହୋଟେଲର ଛାତ ଉପରକୁ ଯାଇ ସହାୟତା ପାଇଁ ଚିତ୍କାର କରୁଥିବା ଦେଖାଯାଇଛି । କେତେକ ଲୋକ ଝରକା ବାଟେ ହାତ ହଲାଇ, ମୋବାଇଲର ଫ୍ଲାସ ଲାଇଟ ଦେଖାଇ ଉଦ୍ଧାରକାରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା ।

Spread the love