ଅନ୍‌ଲାଇନ୍‌ ଗେମିଙ୍ଗ୍‌ ବିଜ୍ଞାପନ’ ଅସନ୍ତୋଷ: ସଚିନ ତେନ୍ଦୁଲ୍‌କର୍‌ଙ୍କ ଘର ବାହାରେ ପ୍ରବଳ ପ୍ରତିବାଦ

ମୁମ୍ବାଇ: ‘ଅନ୍‌ଲାଇନ୍‌ ଗେମିଙ୍ଗ୍‌ ବିଜ୍ଞାପନ’ରେ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର୍‌ଙ୍କ ସମ୍ପୃକ୍ତିକୁ ବିରୋଧ କରି ଆଜି ତାଙ୍କ ବାସଭବନ ବାହାରେ ସ୍ବାଧୀନ ବିଧାୟକ ବଚ୍ଚୂ କଡୂ ଓ ତାଙ୍କର ସହଯୋଗୀମାନେ ପ୍ରବଳ ପ୍ରତିବାଦ ଚଳାଇଥିଲେ‌ ବୋଲି ପୁଲିସ କହିଛି। ବଚ୍ଚୂ କଡୂଙ୍କ ନେତୃତ୍ବରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ସମସ୍ତ ପ୍ରତିବାଦକାରୀଙ୍କୁ ପୁଲିସ ବାନ୍ଦ୍ରା ଥାନାକୁ ନେଇଛି। ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ଥିବା କଡୂ ସଚିନ୍‌ଙ୍କୁ କୋର୍ଟ ନୋଟିସ୍‌ ଧମକ ଦେବାର ମାତ୍ର ୨ ଦିନ ପରେ ଆଜି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ସେ କହିଛନ୍ତି, ଭାରତ ରତ୍ନ ପାଇଥିବା ବ୍ୟକ୍ତିମାନେ ଆଚରଣ ବିଧି ମାନିବା ଉଚିତ। ଆମେ ସଚିନ ତେନ୍ଦୁଲ୍‌କରଙ୍କ ନିକଟକୁ ନୋଟିସ୍‌ ପଠାଇଲୁ। ଆମେ ତାଙ୍କୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲୁ। କିନ୍ତୁ, ଏବେ ସୁଦ୍ଧା ସେ ଏଥିରେ ତାଙ୍କର ସମ୍ପୃକ୍ତି ବିଷୟରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ତେଣୁ, ଏଥର ଆମେ ତାଙ୍କ ପାଖକୁ ଓକିଲଙ୍କ ଜରିଆରେ ନୋଟିସ୍‌ ପଠାଇବୁ। ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେଇ ବିଧାୟକ କଡୂ କହିଛନ୍ତି, ‘ପେଟିଏମ୍‌ ଫାଷ୍ଟ୍‌ ଗେମ୍‌’ ପ୍ରମୋସ୍‌ନାଲ୍‌ ଅଭିଯାନରୁ ପ୍ରତ୍ୟାହୃତ ହୋଇଯିବାକୁ ଆମେ ତାଙ୍କୁ ନିବେଦନ କରିଥିଲୁ। ତାଙ୍କୁ ପାଖରୁ କୌଣସି ଉତ୍ତର ନ ମିଳିପାରୁ ବାଧ୍ୟ ହୋଇ ଓକିଲ ନୋଟିସ୍‌ ଦେବୁ। ସୂଚନାଯୋଗ୍ୟ, ‘ଗେମିଙ୍ଗ୍‌ ପ୍ରୋଗ୍ରାମ୍‌’ ‘ପେଟିଏମ୍‌ ଫାଷ୍ଟ୍‌ ଗେମ୍‌’ ଅନ୍‌ଲାଇନ୍‌ର ଚାଲିଛି। ଏଥିରେ ଖେଳି ‘ରିୟଲ୍‌ କ୍ୟାସ୍‌ ଆମାଉଣ୍ଟ୍‌’ (ନଗଦ ଟଙ୍କା) ଜିଣା ଯାଇପାରୁଛି।

Spread the love