ମାଟ୍ରିକ ପରୀକ୍ଷା : 25ରୁ ମୂଲ୍ୟାୟନ,ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷାଫଳ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି । ଆସନ୍ତା 25ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ୍ 5 ତାରିଖରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ 60ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଥିବା ବେଳେ ମାଟ୍ରିକ୍ ପାଇଁ 50ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ପାଇଁ 10ଟି ମୂଲ୍ୟାୟନ କେନ୍ଦ୍ର ଚୟନ ହୋଇଛି । ଖାତା ମୂଲ୍ୟାୟନ ପାଇଁ ପରୀକ୍ଷକମାନଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ ।

ସେହିପରି ମାଟ୍ରିକ ପରୀକ୍ଷାର ମାଲ୍‌କାନାଗିରିରେ ହଜିଯାଇଥିବା ଓଏମ୍‌ଆର୍ ଖାତା ଓ ତିନିଟି କେନ୍ଦ୍ରରେ ବାତିଲ ହୋଇଥିବା ଇଂରାଜୀ ପରୀକ୍ଷା ପ୍ରସଙ୍ଗରେ ଆସନ୍ତା 12ତାରିଖ ବୋର୍ଡର ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ବଲାଙ୍ଗୀର ଜିଲ୍ଲାରେ ଶେଷ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ବୋର୍ଡ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସେହିପରି ଶେଷ ଦିନ ପରୀକ୍ଷାରେ 137ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍‌ କରାଯାଇଛି ।

ଏହାକୁ ମିଶାଇ ମୋଟ୍ ଛଅ ଦିନରେ 1077ମାଟ୍ରିକ୍ ପରୀକ୍ଷାର୍ଥୀ, 43ଜଣ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଏବଂ 13ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କୁ ମାଲପ୍ରାକ୍ଟିସ୍‌ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷାଫଳ ଏପ୍ରିଲ ମାସ ଶେଷ ସପ୍ତାହରେ ପ୍ରକାଶ କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଉଛି । ଫେବ୍ରୁଆରି 22 ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧୢମା(ସଂସ୍କୃତ ଟୋଲ୍) ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ଆଜି ଶେଷ ହୋଇଛି । ଚଳିତ ବର୍ଷ ମୋଟ 5ଲକ୍ଷ 87ହଜାର 720ଜଣ ପରୀକ୍ଷାର୍ଥୀ 295୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

 
Spread the love