ଆଉ ଦୁଇ ସପ୍ତାହ ବଢିଲା ଲକଡାଉନ

ଦେଶରେ ଲକଡାଉନ ଅବଧି ଆଉ ଦୁଇ ସପ୍ତାହ ବଢ଼ିଛି । ମେ ୧୭ ତାରିଖ ଯାଏଁ ଦେଶରେ ଲକଡାଉନ କଟକଣା ବଳବତ୍ତର ରହିବ । ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଦେଶରେ କରୋନା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ମେ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ସରୁଥିବା ବେଳେ ଏହି ଅବଧି ଆଉ ବଢ଼ିବ କି ନାହିଁ ସେ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ପରେ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । କରୋନାରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲକଡାଉନ୍ ହିଁ ଏକମାତ୍ର ବିକଳ୍ପ ବୋଲି ଜଣାଇ ଦେଇଛନ୍ତି ।
କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ବିଶ୍ୱ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ଭାରତରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ବିପଦରେ ଅଛି । କରୋନା ବିରୋଧରେ ଘମାଘୋଟ ଯୁଦ୍ଧର ମାସ ଏହି ମେ ମାସ ବୋଲି ଆଜି ଓଡ଼ିଶା ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ।
ରେଡ୍ ଜୋନ୍ ରେ ପୂର୍ବପରି କଡ଼ା କଟକଣା ବଳବତ୍ତର ରହୁଥିବା ବେଳେ ଗ୍ରୀନ୍ ଓ ଅରେଞ୍ଜ ଜୋନ୍ ରେ କଟକଣା କୋହଳ ନେଇ ଗୃହ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି । ତେବେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍, ସେଲୁନ୍, ସ୍ପା ବନ୍ଦ ରହିବ ଏବଂ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିବ ।
Spread the love