ଏମ୍ବିବିଏସ୍ ସିଟ୍ ସଂଖ୍ୟା ୧୭୫୦କୁ ବୃଦ୍ଧି ହେବ
ଭୁବନେଶ୍ୱର : ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀର, ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱର ଏବଂ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ସେହିପରି ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍ଏମ୍ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଓ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି ରାଜ୍ୟ ସରକାର। ସେହିପରି ୨୦୨୩-୨୪ରେ ଭବାନୀପାଟଣା, ୨୦୨୪-୨୫ରେ ଯାଜପୁର ଓ ଫୁଲବାଣୀରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ କଲେଜଗୁଡ଼ିକରେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୧,୨୫୦ରୁ ୧,୭୫୦କୁ ବୃଦ୍ଧି ହେବାକୁ ଯାଉଛି। ଏହା ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍ ସହାୟକ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ଦୁଇଟି ୧୦୦ ଏମ୍ବିବିଏସ୍ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍ଏମ୍ସିକୁ ଆବେଦନ କରିଛନ୍ତି। ଏନ୍ଏମ୍ସି ମାନଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ପ୍ରାଧ୍ୟାପକ, ୨୦ ସହଯୋଗୀ ପ୍ରାଧ୍ୟାପକ ଓ ୨୪ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବାର ଆବଶ୍ୟକତା ରହିଥିବାରୁ ସରକାର କଟକ ଏସ୍ସିବି ଓ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ(ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ)ରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କେତେଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଏକ ଅଗ୍ରଜ ମହାବିଦ୍ୟାଳୟ ଭାବେ ପ୍ରାଧାନ୍ୟ ଦେଇ ଆସୁଥିବାରୁ ଖାଲି ହେଉଥିବା ପଦବୀ ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଗତ ୧୭ ଓ ୧୯ ତାରିଖରେ ଏଠାରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟ ଏବଂ ୨୬ ତାରିଖରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବାଦ୍ ୩୫ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି।ସୂଚନାଯୋଗ୍ୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ୩୫ ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଥିବାବେଳେ ଏଥିମଧ୍ୟରୁ ୪ ପଦବୀ ଖାଲି ରହିଛି। ୮୧ ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୩୦ ପଦବୀ ଖାଲି ରହିଥିବାବେଳେ ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୧ ପଦବୀ ଖାଲି ରହିଛି।