ଏମ୍‌ସିଏଲ୍ ବଡ଼ ଖିଲାପି ଜିଲ୍ଲାରେ ୧୨୫ କୋଟି ଟଙ୍କାର ଜଳକର ବାକି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ଶିଳ୍ପାନୁଷ୍ଠାନଗୁଡ଼ିକ ସରକାରଙ୍କ ବିଭିନ୍ନ ଜଳ ଉତ୍ସରୁ ମନଇଚ୍ଛା ପାଣି ଶୋଷୁଛନ୍ତି। ଅଥଚ ଜଳକର ଦେଲା ବେଳକୁ କୁନ୍ଥୁ କୁନ୍ଥୁ। ସ୍ଥିତି ଏମିତି ହୋଇଛି ଯେ ଅନୁଗୁଳ ଜିଲ୍ଲାରେ ଜଳକର ବାବଦ ବକେୟା ରାଶି ୧୨୫.୩୬ ‌କୋଟି ଟଙ୍କାରେ ପହଂଚିଲାଣି। ତେବେ ଏହି ଖିଲାପି ତାଲିକାରେ ସବୁଠାରୁ ଶୀର୍ଷରେ ରହିଛି କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ କୋଇଲା କଂପାନି ଏମ୍‌ସିଏଲ୍। ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖୋଲାମୁହଁ ଖଣି ପ୍ରକଳ୍ପର ବକେୟା ବର୍ଷ ବର୍ଷ ଧରି ପଡ଼ିରହିଛି। ଅଳ୍ପ କିଛି ଅର୍ଥ ଦେଇ ବକେୟା ଗଡ଼େଇ ଚାଲିଛନ୍ତି।
ଜଳସଂପଦ ବିଭାଗର ତଥ୍ୟ କହୁଛି, ଏମ୍‌ସିଏଲ୍‌ର ଭରତପୁର ଓସିପି ଗତ ଡିସେମ୍ବରରେ ମାତ୍ର ୫ ଲକ୍ଷ ୧୦ ହଜାର ୫୮୧ ଟଙ୍କା ଜଳକର ଦେଇଥିଲା। ଏହାକୁ ବାଦ୍‌ ଦେଲେ ଏବେ ଭରତପୁର ଓସିପି ପାଖରେ ଅନୁଗୁଳ ଜଳସଂପଦ ବିଭାଗର ୨୦.୧୮ କୋଟି ଟଙ୍କା ବାକିପଡ଼ିଛି। ସେହିପରି ଭୁବନେଶ୍ବରୀ ଓସିପି ପାଖରେ ବକେୟା ରହିଛି ୭ କୋଟି ୫୭ ଲକ୍ଷ ଟଙ୍କା। ଡିସେମ୍ବରରେ ଏହି ସଂସ୍ଥା ମାତ୍ର ୧ ଲକ୍ଷ ୮୫ ହଜାର ୬୬୬ ଟଙ୍କା ଟିକସ ଦେଇଛି। ଏମ୍‌ସିଏଲ୍‌ର ଅନ୍ୟତମ କୋଇଲା ଖଣି ଅନନ୍ତ ଓସିପି ଗତ ଡିସେମ୍ବରରେ ମାତ୍ର ୧ ଲକ୍ଷ ୬୬ ୬୩୮ ଟଙ୍କା ଦେଇଛି। ଏହି ସଂସ୍ଥା ପାଖରେ ଜଳସଂପଦ ବିଭାଗର ୬.୮୩ କୋଟି ଟଙ୍କା ବାକି ପଡ଼ିଛି। ଏମ୍‌ସିଏଲ୍‌ ଇଡବ୍ଲ୍ୟୁଏସ୍ଏସ୍‌ ପାଖରେ ୭୩ ଲକ୍ଷ ୬୪ ହଜାର ଟଙ୍କା ଥିବାବେଳେ କଣିହାଁ ଓସିପି୨.୦୩ କୋଟି ଟଙ୍କା, ଲିଂଗରାଜ ଓସିପି ୩୬ କୋଟି ୨୩ ଲକ୍ଷ ଟଙ୍କା, ଜଗନ୍ନାଥ କୋଲିଏରି ୮.୩୧ କୋଟି ଟଙ୍କା, ହିଂଗୁଳା ୩.୯୧ କୋଟି ଟଙ୍କା, ‌ବଳରାମ କୋଲିଏରି ୩.୭୦ କୋଟି  ଟଙ୍କା, ତାଳଚେର କୋଲିଏରି ୫.୬୬ କୋଟି ଟଙ୍କା, ନନ୍ଦିରା କୋଲିଏରି ୯.୯୬ କୋଟି ଟଙ୍କା ବାକି ରଖିଛି। ଏସବୁ ଶିଳ୍ପସଂସ୍ଥା ମଝି ମଝିରେ ନାମକୁମାତ୍ର କିଛି ଟଙ୍କା ଜଳକର ଦେଉଛନ୍ତି।
ଏପରିକି ‌କେତେକ ସଂସ୍ଥାର ଜଳକର ବାବଦକୁ ଯେତିକି ଟଙ୍କା ହେଉଛି, ସେତକ ବି ନିୟମିତ ପଇଠ କରୁ ନାହାନ୍ତି। ଏବେ ବନ୍ଦ ପଡ଼ିଥିବା ମନେଟ୍ ଇସ୍ପାତ ପାଖରେ ୫ ଲକ୍ଷ ୨୦ ହଜାର ଟଙ୍କା ବାକି ରହିଛି। ଟିଟିପିଏସ୍‌, ଚାଇଁପାଳ ୭୪ ଲକ୍ଷ ୯୬ ହଜାର ୮୭୧ ଟଙ୍କା ବାକି ରଖିଛି। ବିନ୍ଦଲ ସ୍ପଞ୍ଜ ପାଖରେ ୧୧ ‌କୋଟି ୪୫ ଲକ୍ଷ ବାକି ଥିବା ବେଳେ ଏହି ସଂସ୍ଥା କୋର୍ଟର ଆଶ୍ରୟ ନେଇଛି। ଜିଆଇଟିପିଏଲ୍ ପାଖରେ ପୁରୁଣା ଦେୟ ସହିତ ୩ କୋଟି ୩୧ ଲକ୍ଷ ଟଙ୍କା ବକେୟା ରହିଥିବା ବେଳେ ଏହାକୁ ନେଇ ସଂପୃକ୍ତ ସଂସ୍ଥା ବିବାଦ ସୃଷ୍ଟି କରୁଥିବା ଜଳସଂପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। 
ତେବେ କେବଳ ସରକାରୀ, ବେସରକାରୀ ଶିଳ୍ପାନୁଷ୍ଠାନ ନୁହେଁ; ଖୋଦ୍‌ ରାଜ୍ୟ ସରକାରଙ୍କ ସଂସ୍ଥାମାନଙ୍କର ନାଁ ମଧ୍ୟ ଖିଲାପି ତାଲିକାରେ ଗଡୁଛି। ଅନୁଗୁଳ, ତାଳଚେର ଓ ଆଠମଲ୍ଲିକ ସହରକୁ ପାନୀୟ ଜଳ ଯୋଗାଣ କରୁଥିବା ଅନୁଗୁଳ ଜନସ୍ବାସ୍ଥ୍ୟ ବିଭାଗ ଗତ ଏପ୍ରିଲଠାରୁ ଜଳ କର ଦେଇନଥିବା କୁହାଯାଇଛି। ଏମ୍‌ସିଏଲ୍ ସମେତ ବିଭିନ୍ନ ଶିଳ୍ପସଂସ୍ଥା ମାସକୁ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି।
କିନ୍ତୁ ସରକାରଙ୍କୁ ଜଳ କର ଦେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏପରିକି ଖିଲାପି ତଥା ନିୟମ ମାନୁନଥିବା ସଂସ୍ଥାଗୁଡ଼ିକ ଉପରେ ଜରିମାନା କଷିବା ପରେ ବି ଏହାକୁ ଖାତିର୍ କରୁ ନାହାନ୍ତି। ‌ଏଣୁ କେତେକ ଶିଳ୍ପ ସଂସ୍ଥା ବିରୋଧରେ କୋର୍ଟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତି ଚାଲିଥିବା ରାଜ୍ୟ ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। 
Spread the love