ଦୁର୍ନୀତିର ଗନ୍ତାଘର ସାଜିଛି ମଧ୍ୟାହ୍ନ ଭୋଜନ ଯୋଜନା : ମୋହନ ମାଝୀ

ପିଏମ ପୋଷଣ – ମଧ୍ୟାହ୍ନ ଭୋଜନ ଦୁର୍ନୀତି
ଭୁବନେଶ୍ୱର : ପିଏମ ପୋଷଣ ଅଭିଯାନକୁ ବିଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ହୀନ ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ । କୁପୋଷଣକୁ ପ୍ରତିହିତ କରିବା ପାଇଁ କେନ୍ଦ୍ର ସରକାର ପିଏମ ପୋଷଣ ଯୋଜନା ଜରିଆରେ ପ୍ରାଥମିକ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଏହି ଯୋଜନାର ମୁଳ ଉଦ୍ଦେଶ୍ୟରେ ବିଦ୍ୟାଳୟମାନଙ୍କୁ ଚାଉଳ ବିତରଣ କରାଯାଇଥାଏ । ମାତ୍ର ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଜ୍ଞାତସାରରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ମାତ୍ରାରେ ଚଂଚକତା ଓ ଦୁର୍ନୀତି କରାଯାଉଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି । ରାଜ୍ୟର କୋରାପୁଟ, ନୁଆପଡା, ବଲାଙ୍ଗୀର ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରୁ ପିଏମ-କିଷାନ ତଥା ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ମୋହନ ମାଝୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟମାନଙ୍କୁ ଆସୁଥିବା ୫୦ କେଜିର ଚାଉଳ ବସ୍ତାରେ ସଠିକ ପରିମାଣର ଚାଉଳ ଆସୁ ନାହିଁ । ପ୍ରତ୍ୟେକ ବସ୍ତାରେ ପାଖାପାଖି ୪-୫ କେଜି ଚାଉଳ ନିଅଂଟ ରହୁଛି । ଗତ ୧୫ ତାରିଖରେ କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ପାରାବେଡା, ବିମଳା ଓ ଡଗରଚିଂଛି ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ଚାଉଳ ବସ୍ତାକୁ ଓଜନ କରାଯିବା ସମୟରେ ସମସ୍ତ ବସ୍ତାରେ ୪-୫ କେଜଜି ଚାଉଳ କମ୍ ଥିବାର ଜଣାପଡିଥିଲା । ଚାଉଳ ଯୋଗାଣକାରୀ ଠିକା ସଂସ୍ଥା, ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଏବଂ ତାଙ୍କ ଭିତରେ ଥିବା ମଧୁଚନ୍ଦ୍ରିକାର ସ୍ପଷ୍ଟ ପ୍ରମାଣ ସହ ଅଭିଯୋଗ ସତ୍ୱେ କୈାଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ବିଜେପିର ଚାପ ପରେ ହରଡଘଣାରେ ପଡିଯାଇଥିବା ରାଜ୍ୟ ସରକାର “ମାର୍ ମାର୍ ଭଣ୍ଡାରିଆକୁ ମାର୍‌” ନୀତି ଆପଣାଇ ସିଆରସିସି  (ମକ୍ଷଙ୍କଗ୍ଦଗ୍ଧରକ୍ସ କ୍ସରଗ୍ଦକ୍ଟଙ୍କକ୍ସମର ମରଦ୍ଭଗ୍ଧକ୍ସର ମକ୍ଟକ୍ଟକ୍ସୟସଦ୍ଭବଗ୍ଧକ୍ଟକ୍ସ) ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଗଲେ; କିନ୍ତୁ ସଂପୃକ୍ତ ଠିକାଦାର, ଠିକାଦାର ସଂସ୍ଥା, ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଘଟଣାକୁ ହାଲୁକା କରିବାକୁ ଯାଇ ସିଆରସିସି, ଶିକ୍ଷକ ଏବଂ ଡାଟା ଏଂଟ୍ରି ଅପରେଟରମାନଙ୍କୁ ଅନ୍ୟତ୍ର ବଦଳି କରି ଅସଲ କାରଣକୁ ଚାପି ଦେବାର ଅପପ୍ରୟାସ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଛାତ୍ରଛାତ୍ରୀମାନଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ଯୋଜନା ଆଜି ମୁଳ ଉଦ୍ଦେଶ୍ୟରୁ ଓହରି ଯାଇ ବାଟବଣା ଏବଂ ଦୁର୍ନୀତିର ଗନ୍ତାଘର ସାଜିବା ରାଜ୍ୟ ସରକାରଙ୍କ ହୀନ ମାନସିକତାକୁ ସ୍ପଷ୍ଟ କରିଛି । ଦୁର୍ନୀତି ପ୍ରସଙ୍ଗରେ ଅବଗତ ହେବା ପରେ ମଧ୍ୟ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ଦୁର୍ନୀତିକୁ ଘଂଟ ଘୋଡାଇବା ଆହୁରି ଅଧିକ ଲଜ୍ଜାଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଦିର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ବର୍ତମାନ ବ୍ୟାପକ ଦୁର୍ନୀତିର ଗନ୍ତାଘର ସାଜିଛନ୍ତି । ଅବାଧରେ ପିସି କାରବାର ବ୍ୟାପକ ମାତ୍ରାରେ ଚାଲିଛି । ବିକାଶ ବାଧାପ୍ରାପ୍ତ ହୋଇଛି । ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଅଧିକ ପ୍ରୋତ୍ସହନ କରୁଛନ୍ତି । ମଧ୍ୟାହ୍ନ ଭୋଜନ ଦୁର୍ନୀତିର ତଦନ୍ତ ଭାର କ୍ରାଇମବ୍ରାଂଚ ଦ୍ୱାରା କରାଯିବା ସହିତ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love