କର୍‌ତାର୍‌ପୁର ଗୁରୁଦ୍ବାର ‘ଡ୍ୟାନ୍‌ସ୍ ପାର୍ଟି’ରେ ମଦ ଓ ମାଂସ ପରିବେଷଣ କରାଯାଇଛି: ‘ବିଜେପି’ ନେତା

ଅମୃତସର: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନରୋୱାଲ୍‌ସ୍ଥିତ କର୍‌ତାର୍‌ପୁର ଦରବାର ଗୁରୁଦ୍ବାର ପରିସରରେ ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରି ସେଥିରେ ମଦ ଓ ମାଂସ ପରିବେଶଷଣ କରାଯାଇଥିବା କଥା ‘ବିଜେପି’ ନେତା ମନ୍‌ଜିନ୍ଦର୍‌ ସିଂହ ସିର୍‌ସା ଅଭିଯୋଗ କରିଛନ୍ତି। ଏହି ‘ଡ୍ୟାନ୍‌ସ୍‌ ପାର୍ଟି’ର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଭଳି ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରି କର୍‌ତାର୍‌ପୁର ଗୁରୁଦ୍ବାର ପ୍ରଶାସନ ଶିଖ୍‌ ଭାବାବେଗକୁ ଅସମ୍ମାନିତ କରିଥିବା କଥା ସିର୍‌ସା କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟିରେ ଯୋଗ ଦେଇଥିବା କେତେଜଣ ବ୍ୟକ୍ତି ମାଂସ ଖାଇବା ସହିତ ମଦ ପିଇଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’କୁ ସିର୍‌ସା କହିଛନ୍ତି, କର୍‌ତାର୍‌ପୁର ଗୁରୁଦ୍ବାର ପ୍ରଶାସନର ସ୍ଥାନୀୟ ଡେପୁଟି କମିସନର୍‌ ଓ ‘ଡିଏସ୍‌ପି’ଙ୍କ ସମେତ  ପାକିସ୍ତାନ ଅନ୍ତର୍ଗତ ନରୋୱାଲ୍‌ସ୍ଥିତ ‘ପିଏମ୍‌ୟୁ କର୍‌ତାର୍‌ପୁର କରିଡର୍‌ କମିଟି’ ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରି ମଦ, ମାଂସ ଭକ୍ଷଣ କରିଛନ୍ତି। ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ମୁଁ ଏହି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ପାକିସ୍ତାନ ସରକାରଙ୍କୁ ନିବେଦନ କରୁଛି କି, ସେମାନଙ୍କ ନାଁରେ ମାମଲା ରୁଜୁ କରି ସେମାନଙ୍କୁ ଜେଲ୍‌ ଦଣ୍ଡାଦେଶ ଦିଅନ୍ତୁ।

ପ୍ରାପ୍ତ ସୂଚନା ଅନୁସାରେ, ନଭେମ୍ବର ୧୮ ତାରିଖ ରାତି ୮ଟା ବେଳେ କର୍‌ତାର୍‌ପୁର କରିଡର୍‌ ‘ପିଏମ୍‌ୟୁ’ର ‘ସିଇଓ’ ସୟେଦ୍‌ ଆବୁ ବାକର୍‌ କ୍ୟୁରେଶି ଏହି ‘ଡ୍ୟାନ୍‌ସ୍‌ ପାର୍ଟି’ ଆୟୋଜନ କରିଥିଲେ। ୩ ଘଣ୍ଟା ଧରି ଚାଲିଥିବା ଏହି ପାର୍ଟି ଶ୍ରୀ ଦରବାର ସାହିବ୍‌ଙ୍କ ଦର୍ଶନୀ ଦେଓରିଠାରୁ ମାତ୍ର ୨୦ ଫୁଟ୍‌ ଦୂରରେ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସମ୍ପ୍ରଦାୟର ୮୦ରୁ ଅଧିକ ଲୋକ ଯୋଗ ଦେଇଥିଲେ।

Spread the love