ଭୁବନେଶ୍ୱରରେ ଦିବ୍ୟାଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଉଦ୍ୟମ ଚାଲିଛି

ଦିବ୍ୟାଙ୍ଗମାନେ ମଧ୍ୟ ସମାଜର ମୁଖ୍ୟସ୍ରୋତର ଅନ୍ତର୍ଭୁକ୍ତ । ସେମାନଙ୍କ ପ୍ରତି ସମାଜରେ ଥିବା ଭିନ୍ନ ଧାରଣାକୁ ଦୂର କରିବା ଦିଗରେ ଗଣମାଧ୍ୟମ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ ବୋଲି ‘ଭାରତର ପୁନଃଥଇଥାନ ପରିଷଦ’ ପୂର୍ବାଂଚଳ ଶାଖା-୧ ପକ୍ଷରୁ ଏଠାରେ ଆୟୋଜିତ ଏକ ‘ଗଣମାଧ୍ୟମ କର୍ମଶାଳା’ରେ ବକ୍ତାମାନେ ପରାମର୍ଶ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ପର୍କିତ ଏକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚାଲିଥିବା ନେଇ ଏହି ଅବସରରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପରିସରରେ ପରିଷଦ ପକ୍ଷରୁ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସ (ଆଇଏଚଏସ) ସହଯୋଗରେ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଆମ ଓଡ଼ିଶା’ ସମ୍ପାଦକ ସ୍ୱରାଜ ମିଶ୍ର କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କ ସଂପର୍କରେ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସମ୍ବେଦନଶୀଳ ହେବା ଉଚିତ । ଦିବ୍ୟାଙ୍ଗଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁବିଧାସୁଯୋଗ ସମ୍ପର୍କରେ ଖବର ପରିବେଷଣ ସହିତ ସେମାନଙ୍କ ସମସ୍ୟାକୁ ଉଚିତ କର୍ତ୍ତୃପକ୍ଷଙ୍କ ନିକଟରେ
ଉପସ୍ଥାପନ କରିବାରେ ଗଣମାଧ୍ୟମ ସକ୍ରିୟତାର ସହିତ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

Spread the love