ଡାକ୍ତରଙ୍କ ଭୁଲ ଅପରେସନ ପାଇଁ ମେଡିକାଲ ଦେବ ୧୭ ଲକ୍ଷ ଟଙ୍କା

ଚେନ୍ନାଇ: ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ପାଇଁ ଏବେ ଟଙ୍କା ଗଣିବ ଘରୋଇ ଡାକ୍ତରଖାନା | ତାମିଲନାଡୁର କୁଡାଲୋର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ନିକଟରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ୧୭.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆଠ ବର୍ଷ ପୂର୍ବେ ଡାକ୍ତରଖାନାର ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଆୟୋଗ ଏହି ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଫେବୃଆରୀ ୨୦୧୪ ରେ, ବିନୋଥ କୁମାର ତାଙ୍କ ପତ୍ନୀ ଭି କଲେଭାନୀଙ୍କୁ ପ୍ରସବ ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ମହିଳାଙ୍କର ରକ୍ତସ୍ରାବ ହେତୁ ରକ୍ତଚାପ କମିଯାଇଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର ସାହାଯ୍ୟରେ ମହିଳାଙ୍କ ଗର୍ଭାଶୟକୁ ବାହାର କରିଥିଲେ।ତାଙ୍କର ରକ୍ତସ୍ରାବ ବନ୍ଦ ହୋଇ ନଥିଲା ଏବଂ ଡାକ୍ତରମାନେ ଆଉ ଏକ ଅସ୍ତ୍ରୋପଚାର କରିଥିଲେ।ତଥାପି ତାଙ୍କ ଅବସ୍ଥା ସୁଧୁରି ନଥିଲା ଏବଂ ଫେବୃଆରୀ ୧୬, ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ଅନୁସନ୍ଧାନବେଳେ ଜଣାପଡିଥିଲା ଯେ ମହିଳାଙ୍କର ରକ୍ତସ୍ରାବ ବନ୍ଦ କରିବା ପାଇଁ ଅନ୍ୟ ଚିକିତ୍ସା ବିକଳ୍ପ ବ୍ୟବହାର ନକରି ତାଙ୍କ ଗର୍ଭାଶୟକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରଖାନାର ଅବହେଳାହେତୁ ମହିଳାଙ୍କ ମୃତ୍ୟୁ ଘଟିଥିବାର ପ୍ରମାଣ ମିଳିଥିଲା । ଏହାପରେ ଆୟୋଗ ମେଡିକାଲକୁ କ୍ଷତିପୂରଣ ବାବଦକୁ ୧୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହାବ୍ୟତୀତ ଆୟୋଗର ଅଧ୍ୟକ୍ଷ ଡି ଗୋପୀନାଥ, ସଦସ୍ୟ ଭି.ଏନ୍ ପାର୍ଥିବାନ୍ ଏବଂ ଟି କାଲାଇୟାରସି ମଧ୍ୟ ତାମିଲନାଡୁର ରାଜ୍ୟ ମେଡିକାଲ କାଉନସିଲକୁ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love