ଚିଫ୍ ଜଷ୍ଟିସ୍ କନଫରେନ୍ସରେ ହେଲା ମୋଦି-ମମତାଙ୍କ ଭେଟ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଚିଫ୍ ଜଷ୍ଟିସ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ତାରିଫ କରିଛନ୍ତି ମମତା ବାନାର୍ଜୀ।ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ମୁଖ୍ୟନ୍ୟାୟାଧୀଶଙ୍କ ମିଳିତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଅବସରରେ ଦିଦିଙ୍କୁ ଗତକାଲି ମୋଦିଙ୍କ ସହ ଏକତ୍ର ଚା ପାନ କରୁଥିବାର ଦେଖା ଯାଇଛି। ଏହି ସମୟରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀରେ ଗୋଟିଏ ପଙକ୍ତିରେ ମମତା ବାନାର୍ଜୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବି ଦେଖା ଯାଇଛି।ଉଲ୍ଲେଖଯୋଗ୍ୟ ଯେ ସମ୍ମିଳନୀରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପ୍ରିଲ ୨୯ ତାରିଖ ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମମତା ଭେଟିଥିବା ବେଳେ ଗତକାଲି ଜାତୀୟ ରାଜଧାନୀରେ ରହି ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ସମ୍ପର୍କ କରିପାରନ୍ତି ବୋଲି ଆକଳନ କରାଯାଉଛି। ମମତା କିଛି ଦିନ ପୂର୍ବରୁ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ।

Spread the love