ବିଜ୍ଞାପନକୁ ନେଇ ଅଡ଼ୁଆରେ ମେଗାଷ୍ଟାର୍‌ ଅମିତାଭ

ନୂଆଦିଲ୍ଲୀ: ଏକ ଇ-କମର୍ସ କଂପାନିର ବିଜ୍ଞାପନ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଅଡ଼ୁଆରେ ପକାଇପାରେ। ସେହି ବିଜ୍ଞାପନ ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆପତ୍ତି ଉଠାଇବା ସହ ବିଜ୍ଞାପନକୁ ‌ବିଭ୍ରାନ୍ତୀକର ବୋଲି କହିଛି। ଅମିତାଭଙ୍କ ସେହି ବିଜ୍ଞାପନ ଲୋକଙ୍କ ଜୀବିକା ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ତୁରନ୍ତ ସେହି ବିଜ୍ଞାପନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମହାସଂଘ ଅନୁରୋଧ କରିବ ବୋଲି କହିଛି। ଉକ୍ତ ଇ-କମର୍ସ କଂପାନିର ଏକ ନିର୍ଦିଷ୍ଟ ସେଲ୍‌କୁ ନେଇ ଏକାଧିକ ବିଜ୍ଞାପନ ରହିଥିବା ବେଳେ ମୋବାଇଲ୍ ଫୋନ୍‌ ସମ୍ପର୍କିତ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି।

କଂପାନିର ପୋର୍ଟାଲ୍‌ରେ ମୋବାଇଲ୍‌ ଫୋନ୍ ଉପରେ ମିଳୁଥିବା ଡିଲ୍‌ ରିଟେଲ୍‌ ଦୋକାନରେ ମିଳିବ ବୋଲି ଅମିତାଭ ଉକ୍ତ ବିଜ୍ଞାପନରେ କହୁଛନ୍ତି। ବ୍ୟବସାୟୀ ମହାସଂଘ କହିଛି ଯେ ଏହି ବିଜ୍ଞାପନ ଅନୈତିକ ଓ ଗ୍ରାହକଙ୍କୁ ବିଭ୍ରାନ୍ତ କରୁଛି। ଯଦି କଂପାନି ବିଜ୍ଞାପନକୁ ପ୍ରତ୍ୟାହାର ନକରିବ ତେବେ ଅନ୍ୟ କୌଣସି ଉପାୟ ନପାଇ ଆମେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରସ୍ଥ ହେବୁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। କେବଳ ବ୍ୟବସାୟୀ ମହାସଂଘ ନୁହେଁ, ସର୍ବଭାରତୀୟ ମୋବାଇଲ୍‌ ରିଟେଲ୍‌ ସଂଘ ମଧ୍ୟ ଉକ୍ତ ବିଜ୍ଞାପନକୁ କଡ଼ା ସମାଲୋଚନା କରିଛି। ଏହି ବିବାଦୀୟ ବିଜ୍ଞାପନ ସଠିକ୍ ନୁହେଁ ବୋଲି ଜଣାଇ ପ୍ରମୁଖ ଗଣମାଧ୍ୟମରେ ବିଜ୍ଞାପନ ଦେବାକୁ ସଂଘ ପକ୍ଷରୁ କଂପାନିକୁ କୁହାଯାଇଛି।

Spread the love